
ଭୁବନେଶ୍ୱର, ୩୧ ଜୁଲାଇ (ହି.ସ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନକ୍ରମେ ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବି ଦାସ ମହାରାଜଙ୍କ ୬୫୦ତମ ଜନ୍ମ ଜୟନ୍ତୀ ବର୍ଷ ଉପଲକ୍ଷେ ୨୯ ଜୁଲାଇ ୨୦୨୬ (ଗୁରୁପୂର୍ଣ୍ଣିମା) ଠାରୁ ୨୦ ଫେବୃଆରୀ ୨୦୨୭ (ଶ୍ରୀ ଗୁରୁ ରବିଦାସ ମହାରାଜ ଜୟନ୍ତୀ) ପର୍ଯ୍ୟନ୍ତ ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବିଦାସ ମହାରାଜ ସମରସ ସଂକଳ୍ପ ଅଭିଯାନ’ ଦେଶବ୍ୟାପୀ ପାଳନ କରାଯାଉଛି । ଗୁରୁ ଶ୍ରୀ ରବି ଦାସଜୀଙ୍କ ଜନ୍ମସ୍ଥଳୀ ବାରଣାସୀ କାଶୀରୁ ଏହି ଅଭିଯାନ ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ତାଙ୍କ ଜନ୍ମସ୍ଥାନ ବାରଣାସୀ କାଶୀରୁ ପବିତ୍ର ମୃତିକାକୁ କଳସରେ ସଂଗ୍ରହ କରାଯାଇ ଦେଶର ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଓଡିଶାରୁ ଯାଇଥିବା ପ୍ରତିନିଧିଦଳ ଏହି ପବିତ୍ର କଳସକୁ ଆଣି ଶୁକ୍ରବାର ଭୁବନେଶ୍ୱର ରେଳଷ୍ଟେସନରେ ପହଁଚିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ଏସ୍ସି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଶାନ୍ତ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ଏମ୍ପି ଡ. ରବି ନାରାୟଣ ବେହେରା, ଏସ୍ସି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ମନିଜର ଆର୍ଯ୍ୟ ପ୍ରମୁଖ ସାମିଲ ହୋଇଥିଲେ । ରେଳ ଷ୍ଟେସନ୍ ରେ ପ୍ରତିନିଧି ମଣ୍ଡଳୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ଏକ ବିରାଟ ଶୋଭାଯାତ୍ରାରେ ଉକ୍ତ କଳସକୁ ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ଅଣାଯାଇଥିଲା । ପୂଜାର୍ଚ୍ଚନା ପରେ ଉକ୍ତ କଳସକୁ ମନ୍ଦିରରେ ରଖାଯାଇଛି । ଅଗଷ୍ଟ ୯ ତାରିଖରେ ଏକ ଭବ୍ୟ ସମାରୋହରେ କାର୍ଯ୍ୟକର୍ତାମାନଙ୍କ ଜରିଆରେ ବିଜେପିର ୩୭ଟି ସାଂଗଠନିକ ଜିଲ୍ଲାରୁ ଏଭଳି ମହାପୁରଷମାନଙ୍କ ଜନ୍ମସ୍ଥାନରୁ ମାଟି ଅଣାଯାଇ ଏହି ପବିତ୍ର ମୃତିକାରେ ମିଶାଯିବା ପରେ ତାହାକୁ ୩୭ଟି ପୃଥକ୍ କଳସରେ ବଂଟନ କରାଯିବ । ସେହି ମାଟିକୁ ବିଭିନ୍ନ କଳସରେ ଭରି ଜିଲ୍ଲାର ସବୁ ମଣ୍ଡଳକୁ ନିଆଯିବ । ସେଠାରୁ ପ୍ରତ୍ୟେକ ଗ୍ରାମପଂଚାୟତକୁ ଓ ଗ୍ରାମ ପଂଚାୟତରୁ ପ୍ରତ୍ୟେକ ଗ୍ରାମକୁ ଏହି ପବିତ୍ର କଳସ ବଂଟନ କରାଯିବ । ଯେଉଁଠାରେ ଏହି ପବିତ୍ର ମୃତିକା କଳସ ରଖାଯିବ ଓ ଯେଉଁଠାରେ ପହଁଚିବ ସେହି ସ୍ଥାନରେ ବୃକ୍ଷରୋପଣ କରାଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା