
କେନ୍ଦୁଝର, ୩୧ ଜୁଲାଇ (ହି.ସ.) - କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ୍ୱିଶାଲ ସିଂହ ଆଜି ମିନି କନଫରେନ୍ସ ହଲ୍ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବର୍ତମାନର ସ୍ଥିତି, ରିଲିଫ୍ କାର୍ଯ୍ୟ ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଜିଲ୍ଲାପାଳ ଶ୍ରୀ ସିଂହ ସୂଚନା ଦେଇଛନ୍ତି ଯେ ଚମ୍ପୁଆ, ସ୍ୱାମପାଟଣା ଏବଂ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଆନନ୍ଦପୁରଠାରେ ଜଳସ୍ତର ୩୫.୩୫ ମିଟର ରହିଥିଲା, ଯାହା ବିପଦ ସଙ୍କେତ (୩୮.୩୬ ମିଟର)ଠାରୁ ଯଥେଷ୍ଟ ତଳେ ରହିଛି। ସେହିପରି ଚମ୍ପୁଆ ଏବଂ ସ୍ୱାମପାଟଣାଠାରେ ମଧ୍ୟ ନଦୀର ଜଳସ୍ତର ନିଜ ନିଜର ବିପଦ ସଙ୍କେତ ଠାରୁ ତଳେ ରହିଛି ଏବଂ କ୍ରମାଗତ ଭାବେ ହ୍ରାସ ପାଉଛି।
କାନପୁର ଜଳସେଚନ ପ୍ରକଳ୍ପ ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି ଯେ, ବର୍ତମାନ କଫର ଡ୍ୟାମ୍ ଉପରେ ପାଣି ପ୍ରବାହିତ ହେଉଛି ଏବଂ ସର୍ବାଧିକ ସୁରକ୍ଷିତ ସ୍ତର ୪୪୦.୦୦ ମିଟର ତୁଳନାରେ ଜଳଭଣ୍ଡାରର ଜଳସ୍ତର ୪୩୦.୪୦ ମିଟର ରେକର୍ଡ କରାଯାଇଛି। ଏହି ପ୍ରକଳ୍ପକୁ ପ୍ରତି ସେକେଣ୍ଡରେ ୪୦.୧୬୨ କ୍ୟୁମେକ (ଘନ ମିଟର) ଜଳ ପ୍ରବେଶ କରୁଥିବା ବେଳେ ୫୮୭.୯୮ କ୍ୟୁମେକ ଜଳ ନିଷ୍କାସିତ ହେଉଛି। ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତମାନର ଜଳ ନିଷ୍କାସନ ଯୋଗୁଁ କୌଣସି ଗ୍ରାମ ପ୍ରଭାବିତ ହେବାର ଆଶଙ୍କା ନାହିଁ ଏବଂ ପ୍ରଶାସନ ପକ୍ଷରୁ ନିମ୍ନମୁଖୀ ବ୍ଲକ ଯଥା ଯୋଡ଼ା, ଚମ୍ପୁଆ, ଝୁମ୍ପୁରା, ସଦର ଏବଂ ପାଟଣାର ସ୍ଥିତି ଉପରେ କ୍ରମାଗତ ଭାବେ ନଜର ରଖାଯାଇଛି।
ଜିଲ୍ଲାପାଳ ଦର୍ଶାଇଛନ୍ତି ଯେ ବିଗତ କିଛି ଦିନର ପ୍ରବଳ ବର୍ଷା ଯୋଗୁଁ ୧୩ଟି ବ୍ଲକର ୯୪ଟି ଗ୍ରାମ ପଂଚାୟତ ଏବଂ ୭୨୭ଟି ଗ୍ରାମ ପ୍ରଭାବିତ ହୋଇଛି। ମୋଟ ୪୮ଟି ଗ୍ରାମ ଜଳବନ୍ଦୀ ହୋଇ ରହିଥିଲା, କିନ୍ତୁ ବର୍ତମାନ କୌଣସି ଗ୍ରାମ ଜଳବନ୍ଦୀ ହୋଇ ରହିନାହିଁ। ଫସଲ କ୍ଷତିର ଆକଳନ ଅନୁଯାୟୀ ୧୮୭ ହେକ୍ଟର ଧାନ ଜମି ଏବଂ ୭୦ ହେକ୍ଟର ଅଣଧାନ ଚାଷ ଜମି ନଷ୍ଟ ହୋଇଛି। ଜିଲ୍ଲାରେ ୫୨୩ଟି ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି, ଯେଉଁଥିରେ ୫୨୦ଟି ଆଂଶିକ କ୍ଷତିଗ୍ରସ୍ତ ଏବଂ ୩ଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ଘର ସାମିଲ ଅଛି, ଏହା ବ୍ୟତୀତ ୩୮ଟି ଗୁହାଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ଜନିତ ବିଭିନ୍ନ ଦୁର୍ଘଟଣାରେ ୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଜଣେ କାନ୍ଥ ଭୁଶୁଡ଼ିବା ଯୋଗୁଁ, ଦୁଇ ଜଣ ପାଣିରେ ବୁଡ଼ିଯିବା ଯୋଗୁଁ ଏବଂ ଜଣେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି ଏହା ସହିତ ୧୪ଟି ଗୋରୁଗାଈଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ସୂଚନା ମିଳିଛି।
ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବାବ ୧୮ଟି ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର ଖୋଲାଯାଇଥିଲା, ଯେଉଁଥିରୁ ବର୍ତମାନ ୨ଟି କାର?୍ୟ୍ୟକ୍ଷମ ରହିଛି। ଏପର୍ଯ୍ୟନ୍ତ ମୋଟ ୬,୯୧୮ ଜଣ ହିତାଧିକାରୀଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ଆଜି ୬୦ ଜଣଙ୍କୁ ଖାଦ୍ୟ ପରଷା ଯାଇଛି। ପ୍ରଶାସନ ପକ୍ଷରୁ ୧,୮୧୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୯୨ ଜଣ ଗର୍ଭବତୀ ମହିଳାଙ୍କୁ 'ମା' ଗୃହ'କୁ ସ୍ଥାନାନ୍ତର କରାଯାଇଛି। ଏହାବ୍ୟତୀତ ୧ଟି ଆଶ୍ରୟସ୍ଥଳୀ, ୧୦ଟି ଗୋପାଳନ ଶିବିର (କ୍ୟାଟଲ କ୍ୟାମ୍ପ), ୧୦ଟି ମେଡିକାଲ ଟିମ୍, ୨୬ଟି ମୋବାଇଲ୍ ମେଡିକାଲ୍ ୟୁନିଟ୍ ଏବଂ ୧୦ଟି ପ୍ରାଣୀଧନ ଚିକିତ୍ସା ଟିମ୍ ନିୟୋଜିତ କରାଯିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ୫୬୯ଟି ପଲିଥିନ୍ ସିଟ୍ ବଂଟନ କରାଯାଇଛି।
ଜନସାଧାରଣଙ୍କୁ ସତର୍କ ଓ ସଜାଗ ରହିବାକୁ ନିବେଦନ କରି ନାଗରିକମାନେ କେବଳ ଭାରତୀୟ ପାଣିପାଗ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି କରାଯାଉଥିବା ସଠିକ୍ ସୂଚନା ଉପରେ ଭରସା କରିବାସହ କୌଣସି ଗୁଜବ କିମ୍ବା ସୋସିଆଲ ମିଡିଆର ଅସତ୍ୟ ବାର୍ତା ଉପରେ ବିଶ୍ୱାସ ନକରନ୍ତୁ କିମ୍ବା ତାହାକୁ ସେୟାର ନକରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ଯେ, । ବଢ଼ି ପାଣି ଥିବା ନଦୀ, ନାଳ, ଡ୍ୟାମ୍ କିମ୍ବା ଅନ୍ୟାନ୍ୟ ଜଳାଶୟ ନିକଟକୁ ନଯିବାକୁ ଏବଂ ବନ୍ୟା ପାଣି ପାଖରେ ସେଲଫି ନେବା କିମ୍ବା କୌଣସି ବିପଜ୍ଜନକ କାର୍ଯ୍ୟ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପ୍ରଶାସନକୁ ସୂଚନା ଦେବାକୁ ଏବଂ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଡେପୁଟି କଲେକ୍ଟର (ଜରୁରୀକାଳୀନ) ଅଭିଳାଷ ପୁରୋହିତ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA