ଧୁତରା ରେଳଫାଟକରେ ଟ୍ରେଲର ଅଚଳ : ପ୍ରାୟ ଘଣ୍ଟାଏ ଅଟକିଲା ବନ୍ଦେ ଭାରତ, ଫ୍ଲାଏଓଭର ଦାବି ଜୋରଦାର
Dhutra-Bande-bharat-late-
Demand for


ଝାରସୁଗୁଡା, ୩୧ ଜୁଲାଇ (ହି.ସ.)- ଝାରସୁଗୁଡା ଜିଲ୍ଲାର ଧୁତରା ରେଳଷ୍ଟେସନ ନିକଟସ୍ଥ ୨୫୪ ନମ୍ବର ରେଳଫାଟକରେ ଶୁକ୍ରବାର ଅପରାହ୍ନରେ ଏକ ଟ୍ରେଲର ରେଳ ଲାଇନ ଉପରେ ଅଚଳ ହୋଇଯିବାରୁ ପ୍ରାୟ ଘଣ୍ଟାଏ ଧରି ବନ୍ଦେ ଭାରତ ଏକ୍ସପ୍ରେସ ଅଟକି ରହିଥିଲା। ଏହି ଘଟଣା ଯୋଗୁଁ ସଡ଼କ ଓ ରେଳ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହେବା ସହ ସାଧାରଣ ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ସୂଚନା ଅନୁଯାୟୀ, ଏମପି-୧୯-ଜେଡଜି-୫୦୭୭ ନମ୍ବର ବିଶିଷ୍ଟ ଏକ ଟ୍ରେଲର ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ୫୫ ମିନିଟ୍ ସମୟରେ ରେଳଫାଟକ ଅତିକ୍ରମ କରୁଥିବାବେଳେ ହଠାତ୍ ବ୍ରେକଡାଉନ ହୋଇ ରେଳ ଲାଇନ ମଝିରେ ଅଟକି ଯାଇଥିଲା। ଫଳରେ ହାୱଡ଼ା–ମୁମ୍ବାଇ ମୁଖ୍ୟ ରେଳପଥରେ ଟ୍ରେନ ଚଳାଚଳ ସାମୟିକ ଭାବେ ବାଧାପ୍ରାପ୍ତ ହୋଇଥିଲା। ଟ୍ରେଲରକୁ ଲାଇନରୁ ହଟାଇବା ପରେ ଅପରାହ୍ନ ପ୍ରାୟ ୩ଟା ୫୫ ମିନିଟ୍ ରେ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରା ଆରମ୍ଭ କରିଥିଲା। ଏହି ସମୟରେ ରେଳଫାଟକର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିବା ବେଳେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହି ରେଳଫାଟକରେ ବାରମ୍ବାର ଦୁର୍ଘଟଣା ଘଟୁଛି। ନିକଟ ଅତୀତରେ ମଧ୍ୟ ଏକ ଟ୍ରେଲର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ତଥାପି ସ୍ଥାୟୀ ସମାଧାନ ପାଇଁ ରେଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଧୁତରା, ଅର୍ଡା, ଚମ୍ପାପଡା, ଖାଳିଙ୍ଗିପଡା, ମଝାପଡା, ସାରସମାଳ, ଗୁଡିଗାଁ, ସିଆଲରମା ଓ କେଳଡା ସମେତ ବିଭିନ୍ନ ଗ୍ରାମର ଲୋକେ ଏହି ରେଳଫାଟକ ଉପରେ ନିର୍ଭରଶୀଳ। ଚାଷବାସ, ଚିକିତ୍ସା, ସ୍କୁଲ-କଲେଜ ଯାତାୟାତ ଓ ଝାରସୁଗୁଡା ସହର ସହ ସଂଯୋଗ ପାଇଁ ଏହା ଏକ ପ୍ରମୁଖ ପଥ। ତେଣୁ ମଞ୍ଜୁରିପ୍ରାପ୍ତ ଫ୍ଲାଏଓଭର କିମ୍ବା ରେଳ ଓଭରବ୍ରିଜ୍ (ଆରଓବି)/ଲିମିଟେଡ୍ ହାଇଟ୍ ସବୱେ (ଏଲଏଚଏସ୍) ନିର୍ମାଣ କାମ ଶୀଘ୍ର ଆରମ୍ଭ କରିବାକୁ ଅଞ୍ଚଳବାସୀ ପୁଣିଥରେ ରେଳ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande