
ଶ୍ରୀନଗର, ୩୧ ଜୁଲାଇ (ହି.ସ.)- ଖରାପ ପାଗ ଏବଂ ରାସ୍ତା ମରାମତି କାମ ହେତୁ ଶୁକ୍ରବାର ବାଲଟାଲ ମାର୍ଗରୁ ମଧ୍ୟ ବାର୍ଷିକ ଅମରନାଥ ଯାତ୍ରାକୁ ବନ୍ଦ କରାଯାଇଛି। ଆବଶ୍ୟକ ମରାମତି କାମ ପାଇଁ ପହେଲଗାମ ମାର୍ଗରୁ ଯାତ୍ରା ପୂର୍ବରୁ ହିଁ ବନ୍ଦ କରାଯାଇଥିଲା।
ଅଧିକାରୀମାନେ କହିଛନ୍ତି ଯେ ଗୁରୁବାର ରାତିରେ ବାଲଟାଲ ଅଂଚଳରେ ପ୍ରବଳ ବର୍ଷା ହୋଇଥିଲା, ଯାହା ଫଳରେ ଗୋଟିଏ ସ୍ଥାନରେ ହଠାତ୍ ବନ୍ୟା (ଫ୍ଲେଶ-ଫ୍ଲଡ୍) ପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଜୀବନ କିମ୍ବା ସମ୍ପତିର କୌଣସି କ୍ଷତି ହୋଇନଥିଲା। ଖରାପ ପାଗ ଏବଂ ମରାମତି କାମ ହେତୁ ଆଜି କୌଣସି ତୀର୍ଥଯାତ୍ରୀଙ୍କୁ ବାଲଟାଲ ମାର୍ଗ ଦେଇ ପବିତ୍ର ଗୁମ୍ଫା ମନ୍ଦିର ଆଡ଼କୁ ଯିବାକୁ ଅନୁମତି ଦିଆଯାଇନଥିଲା। ଅଧିକାରୀମାନେ କହିଛନ୍ତି ଯେ ଟ୍ରାକ୍ରେ ମରାମତି କାମ ବର୍ତମାନ ମଧ୍ୟ ଚାଲିଛି।
ବାର୍ଷିକ ଯାତ୍ରା ୩ ଜୁଲାଇରେ ଆରମ୍ଭ ହୋଇଥିଲା ଏବଂ ଏପର୍ଯ୍ୟନ୍ତ ପ୍ରାୟ ୪.୫ ଲକ୍ଷ ଶ୍ରଦ୍ଧାଳୁ ଗୁମ୍ଫା ମନ୍ଦିରରେ ପ୍ରାକୃତିକ ଭାବେ ସୃଷ୍ଟି ହୋଇଥିବା ବରଫର ଶିବଲିଙ୍ଗ ଦର୍ଶନ କରିସାରିଛନ୍ତି। ଏହି ଯାତ୍ରା ରକ୍ଷାବନ୍ଧନ ଅବସରରେ ୨୮ ଅଗଷ୍ଟରେ ସମାପ୍ତ ହେବ।
ଉଧମପୁର ଏବଂ ରାମବନରେ ମରାମତି କାମ ଚାଲିଥିବାରୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥକୁ ଶୁକ୍ରବାର ବନ୍ଦ ରଖାଯାଇଛି। ଏହା ସତ୍ୱେ ଜମ୍ମୁର ଭଗବତୀ ନଗରରୁ ଆଜି ସକାଳେ ଅମରନାଥ ଯାତ୍ରୀମାନଙ୍କର ନୂତନ ଦଳ ଯାତ୍ରା କରିଛି। ମାର୍ଗରେ ଯାତାୟାତ ବନ୍ଦ ହେବା ପୂର୍ବରୁ ହିଁ ଏହି ଦଳ ଏହି ଅଂଚଳଗୁଡ଼ିକୁ ଅତିକ୍ରମ କରିସାରିଥିଲା।
------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ