
ମାଲକାନଗିରି , ୩୧ ଜୁଲାଇ (ହି.ସ.) - ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ବାରୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବସର ଗ୍ରହଣ କରିଥିବା ଚାରିଜଣ ଶିକ୍ଷକଙ୍କୁ ସେମାନଙ୍କର ଅବସର ଦିନରେ ଫାଇନାଲ ପେନସନ କାଗଜପତ୍ର ପ୍ରଦାନ କରାଯାଇଛି। ଏହି ପଦକ୍ଷେପକୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମହଲ ରେ ଉଚ୍ଚ ପ୍ରଶଂସା କରାଯାଇଛି। ମାଥିଲି ବ୍ଲକର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ବିନୋଦ ବିହାରୀ ପାଢ଼ୀ, ଅଭିମନ୍ୟୁ ଖଣ୍ଡପାଣି, ଉତମ ଚନ୍ଦ୍ର ପାଲ ଏବଂ ନଳିନୀକାନ୍ତ ନାୟକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜଣାଯାଇଥିଲା। ଏହି ଉପଲକ୍ଷେ ମାଥିଲି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଛତିଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଅବସର ଦିନରେ ପେନସନ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବାରୋଇ ସମସ୍ତ କର୍ମଚାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟାଳୟର ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି ସମସ୍ତ ପ୍ରକ୍ରିୟା ସଫଳତାର ସହିତ ସମ୍ପନ୍ନ କରିଥିଲେ।ଆଜି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନାୟକ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଉପଢୌକନ ସହିତ ପେନସନ କାଗଜପତ୍ର ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକମାନେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ନିଷ୍ଠାପର କାର୍ଯ୍ୟ ଓ ସହଯୋଗକୁ ପ୍ରଶଂସା କରିଥିଲେ। ସେମାନଙ୍କ କର୍ମମୟ ଜୀବନର ବିଭିନ୍ନ ସଫଳତା ଉପରେ ଆଲୋକପାତ କରାଯାଇଥିଲା। ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସାଧୁବାଦ ଜଣାଯାଇଥିଲା। ବରିଷ୍ଠ ଶିକ୍ଷକ ତଥା ବିଆରପି ରତ୍ନାକର ପାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିଆରସିସି ନିହାରରଞ୍ଜନ ବିଶ୍ୱାସ, ସତ୍ୟନାରାୟଣ ଦାସ, ସନ୍ତୋଷ ପୂଜାରୀ, ଦେବପ୍ରସାଦ ବିଶ୍ୱାଳ, ରମାକାନ୍ତ ସ୍ୱାଇଁ, ପ୍ରାଣକୃଷ୍ଣ ପଣ୍ଡାଙ୍କ ସମେତ ବହୁ ସଂଖ୍ୟକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟାଳୟର କନିଷ୍ଠ ସହକାରୀ ମହେଶ୍ୱର କଂସାରୀ, ନମିତା ପଟ୍ଟନାୟକ ପ୍ରମୁଖ ମଧ୍ୟ ଏଥିରେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ