
ସମ୍ବଲପୁର,୩୧, ଜୁଲାଇ (ହି.ସ.) ରେଢାଖୋଲ ଥାନା ଅଧୀନ ଏକ ହତ୍ୟା ମାମଲାରେ ସମ୍ବଲପୁର ଜିଲ୍ଲା ଓ ଦୌରା ଜଜ୍ ପାର୍ଥସାରଥୀ ପଟ୍ଟନାୟକ ଶୁକ୍ରବାର ଅଭିଯୁକ୍ତ ଚରଣ ଶବର ଓରଫ ବାଘ'କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ।
ସୂଚନା ଅନୁଯାୟୀ, ଘଟଣା ଦିନ ଅଭିଯୋଗକାରୀ ତାଙ୍କ ସ୍ତ୍ରୀ ସରସ୍ୱତୀ ଭୋଇଙ୍କ ସହ ତାଙ୍କ ନିଖୋଜ ପୁଅଙ୍କୁ ଖୋଜିବାକୁ ବାହାରିଥିଲେ। ଏହି ସମୟରେ ଯୋହାନଗଡ଼ ନିକଟସ୍ଥ ଏକ ଜମି ପାଖରେ ସରସ୍ୱତୀ ଭୋଇଙ୍କୁ ଚରଣ ଶବର ଟାଙ୍ଗିଆରେ ଆକ୍ରମଣ କରିଥିବା ସୂଚନା ସେ ପାଇଥିଲେ। ଘଟଣାସ୍ଥଳରେ ପହଞ୍ଚି ସେ ତାଙ୍କ ସ୍ତ୍ରୀଙ୍କୁ ଗୁରୁତର ଆହତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପାଣି ପିଆଇବା ପରେ ସରସ୍ୱତୀ ଭୋଇ ତାଙ୍କୁ ଚରଣ ଶବର ଆକ୍ରମଣ କରିଥିବା କହିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହାପରେ ରେଢାଖୋଲ ଥାନାରେ ଏତଲା ଦାଖଲ ହୋଇ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। ବିଚାର ସମୟରେ ୧୮ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ପ୍ରାୟ ୨୦ଟି ଦସ୍ତାବିଜକୁ ପ୍ରମାଣ ଭାବେ ଅଦାଲତରେ ଉପସ୍ଥାପନ କରାଯାଇଥିଲା।
ଅଦାଲତ ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୨ ଅନୁଯାୟୀ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଏବଂ ଧାରା ୨୦୧ ଅନୁଯାୟୀ ଦୁଇ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଜଣାପଡିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ