୭୦ ଲକ୍ଷର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ୪ ବର୍ଷ ଧରି ଅଚଳ
Mobile blood collection unit bus is breakdown
Mobile blood donation


ଝାରସୁଗୁଡ଼ା, ୩୧ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟରେ ଆଣାଯାଇଥିବା ଅତ୍ୟାଧୁନିକ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଗତ ପ୍ରାୟ ଚାରି ବର୍ଷ ଧରି ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ନିୟମିତ ରକ୍ଷଣାବେକ୍ଷଣର ଅଭାବରୁ ଯାନଟି ବର୍ତ୍ତମାନ ଜୀର୍ଣ୍ଣଶୀର୍ଣ୍ଣ ହେବାକୁ ବସିଛି। ଏହି ବ୍ୟୟବହୁଳ ଯାନ ଦ୍ଵାରା ଏପର୍ଯ୍ୟନ୍ତ ମାତ୍ର ୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ତଥ୍ୟ ସାମ୍ନାକୁ ଆସିବା ପରେ ସ୍ଥାନୀୟ ବୁଦ୍ଧିଜୀବୀ, ସମାଜସେବୀ ଏବଂ ରକ୍ତଦାତା ସଂଗଠନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଝାରସୁଗୁଡ଼ାର ପୂର୍ବତନ ବିଧାୟକ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ପ୍ରୟାସ ଏବଂ ରକ୍ତଦାତା ସଂଗଠନ ଓ ସମାଜସେବୀଙ୍କ ଦାବିକୁ ଆଧାର କରି ରାଜ୍ୟ ରକ୍ତ ସଞ୍ଚାରଣ ପରିଷଦ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୦୨୨–୨୩ ମସିହାରେ ଏହି ଅତ୍ୟାଧୁନିକ ଯାନ ଯୋଗାଇ ଦିଆଯାଇଥିଲା। ତତ୍କାଳୀନ ଜିଲ୍ଲାପାଳ ସରୋଜ ସାମଲଙ୍କ ଉପସ୍ଥିତିରେ ଯାନଟିର ଶୁଭାରମ୍ଭ କରାଯାଇ ରକ୍ତଦାନ ଶିବିର ମାଧ୍ୟମରେ ଏହାର ବ୍ୟବହାର ଆରମ୍ଭ କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ଏତେ ବଡ଼ ବ୍ୟୟରେ କ୍ରୟ କରାଯାଇଥିବା ଏହି ଯାନରୁ ଏପର୍ଯ୍ୟନ୍ତ କେବଳ ଦୁଇଥର ମାତ୍ର ରକ୍ତ ସଂଗ୍ରହ କରାଯାଇଛି ଏବଂ ମୋଟ ସଂଗ୍ରହ ହୋଇଛି ୨ ୟୁନିଟ୍ ରକ୍ତ। ସମାଜସେବୀ ରାଜେଶ ପାଢ଼ୀ ଓ ପ୍ରଶାନ୍ତ ନନ୍ଦ ଏହି ଦୁଇ ୟୁନିଟ୍ ରକ୍ତଦାନ କରିଥିବା ଜଣାପଡ଼ିଛି।

ସମାଜସେବୀଙ୍କ କହିବା ଅନୁଯାୟୀ, ଯାନଟିକୁ ଚଳାଇବା ପାଇଁ ଆବଶ୍ୟକ ଡ୍ରାଇଭର, ଇନ୍ଧନ, ରକ୍ଷଣାବେକ୍ଷଣ ଏବଂ ମରାମତି ବାବଦରେ ପୃଥକ ଅର୍ଥ ବ୍ୟବସ୍ଥା ହୋଇନଥିବାରୁ ଏହା ବ୍ୟବହାର ହୋଇପାରିନଥିଲା। ଫଳସ୍ୱରୂପ, ଯାନଟି ଦୀର୍ଘଦିନ ଧରି ଅଚଳ ଅବସ୍ଥାରେ ପଡ଼ିରହିଛି।

ଝାରସୁଗୁଡ଼ା ଜିଲ୍ଲାରେ ଶତାଧିକ ସକ୍ରିୟ ରକ୍ତଦାତା ଓ ଅନେକ ରକ୍ତଦାତା ସଂଗଠନ କାର୍ଯ୍ୟ କରୁଥିବା ସତ୍ତ୍ୱେ ଏଭଳି ମୂଲ୍ୟବାନ ସରକାରୀ ସମ୍ପତ୍ତି ଅବ୍ୟବହୃତ ରହିବା ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ସେମାନେ ତୁରନ୍ତ ଯାନଟିକୁ କାର୍ଯ୍ୟକ୍ଷମ କରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରକ୍ତଦାନ ଶିବିର ଆୟୋଜନ କରିବାକୁ ଦାବି କରିଛନ୍ତି।

ଏ ସମ୍ପର୍କରେ ନବନିଯୁକ୍ତ ସିଡିଏମ୍ଓ ଶକ୍ତିଧର ପାଢ଼ୀ କହିଛନ୍ତି, “ମୁଁ ପ୍ରାୟ ଦେଢ଼ ମାସ ହେବ ଦାୟିତ୍ୱ ଗ୍ରହଣ କରିଛି। ରକ୍ତଭଣ୍ଡାର ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରି ଯାନଟିର ସ୍ଥିତି ସମୀକ୍ଷା କରାଯିବ। ଏହାକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ।”

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande