
ଭୁବନେଶ୍ୱର , ୩୧ ଜୁଲାଇ (ହି.ସ.) - ରାଜ୍ୟରେ ଭୟାଭହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏବଂ ହଜାର ହଜାର ଗୃହପାଳିତ ପଶୁ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ତେବେ ଏହି ଜରୁରୀ ପରିସ୍ଥିତିରେ ସରକାର ବିପର୍ଯ୍ୟୟ ପରିଚାଳନାରେ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି। ଚଳିତ ବର୍ଷ ବନ୍ୟା ପରିଚାଳନାରେ ରାଜ୍ୟ ସରକାର ପ୍ରାକ୍ ପ୍ରସ୍ତୁତି ଠିକ୍ ଭାବେ କରି ନଥିବାରୁ ରାଜ୍ୟରେ ବନ୍ୟା ଦ୍ୱାରା ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇ ହନ୍ତସନ୍ତ ଜୀବନ କାଟୁଛନ୍ତି ବୋଲି ଓଜେସି ସେବା ସଂଗଠନ ଅଧ୍ୟକ୍ଷ ମନୋଜ ଜେନା କହିଛନ୍ତି। ଏହି ଘଡ଼ିସନ୍ଧି ମୁହୂର୍ତରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବନ୍ୟାଂଚଳ ପରିଦର୍ଶନ କରି ପ୍ରଭାବିତ ଲୋକଙ୍କର ଦୁଃଖ ଦୁର୍ଦ୍ଦଶା ଦୂର କରିବା ପରିବର୍ତେ ବର୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି।
ଓଡ଼ିଶା ଜନତା କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କ ନିର୍ଦ୍ଦେଶରେ ଓଜେସି ସେବା ସଂଗଠନ ପକ୍ଷରୁ ଆସନ୍ତାକାଲିଠାରୁ ଏକ ପ୍ରତିନିଧି ମଣ୍ଡଳୀ ଯାଜପୁର ଜିଲ୍ଲାର ବନ୍ୟାଂଚଳ ଗୁଡ଼ିକ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବା ସହ ପ୍ରଭାବିତ ଲୋକଙ୍କୁ ରିଲିଫ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଜନତା କଂଗ୍ରେସର ଯାଜପୁର ଜିଲ୍ଲା ପ୍ରଭାରୀ ନଜିବୁର୍ ରେହମାନ ଖାନ୍, ସୋମନାଥ ରାଉତ ଏବଂ ଓଡ଼ିଶା କୃଷକ ଜନତା କଂଗ୍ରେସର ବରିଷ୍ଠ ନେତା ଦୁର୍ଗାଚରଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା