ପାନୀୟ ଜଳ ଓ ପରିମଳ ସମୀକ୍ଷା ବୈଠକ
Review meeting on drinking water
Review meeting


ଝାରସୁଗୁଡ଼ା, ୩୧ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାରେ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାର ସମୀକ୍ଷା ନେଇ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଏକ ମାସିକ ସମନ୍ୱୟ ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ମେଗା ପାନୀୟ ଜଳ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି, କାର୍ଯ୍ୟକ୍ଷମ ତାରିଖ ଏବଂ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ସମୟସୀମା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରି ଜନସାଧାରଣଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ 'ବସୁଧା' ଓ ଅନ୍ୟାନ୍ୟ ରାଜ୍ୟ ସରକାରଙ୍କ ଯୋଜନା ଅଧୀନରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ, ୪୨ଟି ଗ୍ରାମପଞ୍ଚାୟତକୁ ସାମିଲ କରୁଥିବା ମେଗା ପିଡବ୍ଲ୍ୟୁଏସ୍ ପ୍ରକଳ୍ପ ଏବଂ ବ୍ଲକ୍ୱାରୀ ମେଗା ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ଏହାସହ ନଳକୂପ ଗୁଡ଼ିକର ଆଶୁ ମରାମତି ଏବଂ ପାନୀୟ ଜଳ ପାଇପଲାଇନ୍ର ପୁନରୁଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନୂତନ ସଡ଼କ ନିର୍ମାଣ ସମୟରେ କ୍ଷତିଗ୍ରସ୍ତ ହେଉଥିବା ପୁରୁଣା ପାଇପଲାଇନ୍ ଗୁଡ଼ିକର ତୁରନ୍ତ ମରାମତି ଓ ପୁନଃସ୍ଥାପନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଇପଲାଇନ୍ କ୍ଷତିଗ୍ରସ୍ତ ହେଲେ ଆର.ଡବ୍ଲ୍ୟୁ.ଏସ୍.ଏସ୍ ଓ ଶିଳ୍ପାନୁଷ୍ଠାନଗୁଡ଼ିକ ତୁରନ୍ତ ମରାମତି କାର୍ଯ୍ୟ ହାତକୁ ନେବା ପାଇଁ ଆଲୋଚନା ହୋଇଥିଲା। ବିଶେଷ କରି ଲୋକସେବା ବାଧାପ୍ରାପ୍ତ ନହେବା ପାଇଁ ପୂର୍ତ୍ତ ବିଭାଗ, ବେଦାନ୍ତ କର୍ତ୍ତୃପକ୍ଷ ଯୁଗ୍ମ ପରିଦର୍ଶନ କରି ସମସ୍ୟାର ସମାଧାନ କରିବାକୁ କୁହାଯାଇଛି। ଅନ୍ତଃ-ବିଭାଗୀୟ ସମନ୍ୱୟ ରକ୍ଷା କରିବା, କାର୍ଯ୍ୟର ମାନ ବଜାୟ ରଖିବା ଏବଂ ପ୍ରତିଦିନର କାର୍ଯ୍ୟାନ୍ୱୟନକୁ ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ରିଅଲ-ଟାଇମ୍ ଅପଡେଟ୍ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ଏହି ସମୀକ୍ଷା ବୈଠକରେ ଆର.ଡବ୍ଲ୍ୟୁ.ଏସ୍.ଏସ୍, ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଟାଟା ପାୱାର ଏବଂ ବେଦାନ୍ତର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande