ଝାରସୁଗୁଡ଼ା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ କୁତ୍ରିମ ବୁଦ୍ଧିମତା ଓ ଡିଜିଟାଲ୍ ସାକ୍ଷରତା କର୍ମଶାଳା
Workshop on child protection unit
Child protection unit


ଝାରସୁଗୁଡ଼ା, ୩୧ ଜୁଲାଇ (ହି.ସ.) - ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଡିଏମ୍ଏଫ୍ ଅଡିଟୋରିୟମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ଅଂଶୀଦାରମାନଙ୍କ ପାଇଁ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ବା କୁତ୍ରିମ ବୁଦ୍ଧିମତା ଏବଂ ଡିଜିଟାଲ୍ ସାକ୍ଷରତା ସମ୍ପର୍କିତ ଏକ ଓରିଏଂଟେସନ୍ କାର୍ଯ୍ୟକ୍ରମ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆଧୁନିକ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ କ୍ରିୟାଶୀଳ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରାଣା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅମ୍ରିତ ଆଚାର୍ଯ୍ୟ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣାକେଶୀ ବଳିୟାରସିଂହ, ଜିଲ୍ଲା ପରିଷଦର ଆଇଟି ପ୍ରୋଗ୍ରାମ ଅଫିସର ପ୍ରସନ୍ନ ଦାଶ, ଡିଏସପି ଆଇ ୟୁ ସି ଏ ଡବ୍ଲୁ ମନ୍ଦା ହାଁସଦା, ଏନ୍ଆଇସି ର ଡିଆଇଓ ତାରିଣୀ ପ୍ରଧାନ, ଡିଜିଏମ୍ ସୁନୀତା ପଟେଲ ଏବଂ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।

ଏହି ପ୍ରଶିକ୍ଷଣ ଶିବିରରେ ଶିଶୁ ମଙ୍ଗଳ କମିଟି, କିଶୋର ନ୍ୟାୟ ବୋର୍ଡ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଚାଇଲ୍ଡ ହେଲ୍ପଲାଇନ୍, ରେଳବାଇ ଚାଇଲ୍ଡ ହେଲ୍ପ ଡେସ୍କ, ୱାନ୍ ଷ୍ଟପ୍ ସେଂଟର (ସଖୀ), ଶିଶୁ ଗୃହ, ସ୍ପେଶାଲ ଜୁଭେନାଇଲ୍ ପୋଲିସ ୟୁନିଟ୍, ସିଡିପିଓ, ଡି ଏସ ଡବ୍ଲୁ ଓ ସେକ୍ସନର ପ୍ରୋଗ୍ରାମ ଅଫିସର ଏବଂ ଜିଲ୍ଲା ମହିଳା ସଶକ୍ତୀକରଣ କେନ୍ଦ୍ର ଟିମ୍ର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। କର୍ମଶାଳାରେ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ର ବ୍ୟବହାର, ସୋସିଆଲ୍ ମିଡିଆ ପ୍ଲାଟଫର୍ମର ସଠିକ୍ ପରିଚାଳନା, ଦୈନନ୍ଦିନ କାର୍ଯ୍ୟକଳାପର ଗୁଣାତ୍ମକ ରିପୋର୍ଟ ପ୍ରସ୍ତୁତି ଏବଂ ଶିଶୁ ସୁରକ୍ଷା ଓ କିଶୋର ନ୍ୟାୟ ସମ୍ପର୍କିତ ସଚେତନତା ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଶିଶୁ ସୁରକ୍ଷା କ୍ଷେତ୍ରରେ ରହିଥିବା ସାମାଜିକ କୁସଂସ୍କାରକୁ ଦୂର କରିବା ପାଇଁ ଡିଜିଟାଲ୍ ସାଧନ ଏବଂ ପ୍ରଚାର-ପ୍ରସାରର ଭୂମିକା ସମ୍ପର୍କରେ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande