
ଜୟପୁର, ୩୧ ଜୁଲାଇ (ହି.ସ.) - କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ତତା୍ୱବଧାନରେ ଆଜି ସୁନାବେଡାସ୍ଥିତ ଆଇସିଡିଏସ ଅଫିସ ପରିସରରେ ପିତୃମାତୃହୀନ ଏବଂ ଏକକ ଅବିଭାବକ ଶିଶୁଙ୍କ ଉପଯୁକ୍ତ ଥଇଥାନ ନିମନ୍ତେ ସ୍ୱତନ୍ତ୍ର କ୍ୟାମ୍ପର ଆୟୋଜନ କରାଯାଇଥିଲା । ଉକ୍ତ କ୍ୟାମ୍ପରେ ମୋଟ ୨୧୨ ଜଣ ସୁରକ୍ଷା ଏବଂ ଯତ୍ନ ଆବଶ୍ୟକ କରୁଥିବା ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନା କରାଯାଇଥିଲା । ଶିଶୁମଙ୍ଗଳ ସମିତିର ତଦନ୍ତ ସମାପ୍ତ ପରେ ସେହି ଶିଶୁମାନଙ୍କୁ ସରକାରଙ୍କ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାରେ ସାମିଲ କରାଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କ ସର୍ବାଙ୍ଗୀନ ବିକାଶକୁ ସୁନିଶ୍ଚିତ କରାଯିବ । କୋରାପୁଟ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, କୋରାପୁଟ ଏବଂ ଆଇସିଡିଏସ ସୁନାବେଡାର ମିଳିତ ଆନୁକୂଲ୍ୟରେ ଉକ୍ତ କ୍ୟାମ୍ପର ଆୟୋଜନ କରାଯାଇଥିଲା । ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧକ୍ଷା ଡା. ଗାୟତ୍ରୀ ଦେବୀ ଏବଂ ସଦସ୍ୟ ସୁରେଶ କୁମାର ହୋତା ଉପସ୍ଥିତ ରହି ଶିଶୁ ମାନଙ୍କ ଉପସ୍ଥାପନା ନେଇଥିଲେ । ସୁନାବେଡାସିଡିପିଓ ନଳିନୀ ବେହେରା, ଜିଲ୍ଲାଶିଶୁ ସୁରକ୍ଷା ୟୁନିଟର କର୍ମକତା, ଚାଇଲଡ ଲାଇନର କର୍ମକର୍ତା ଏବଂ ଅଙ୍ଗନବାଡି କର୍ମୀ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି