
- କ୍ଷତିଗ୍ରସ୍ତ ଚାଷଜମି ପାଇଁ ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍
ଭୁବନେଶ୍ୱର, ୩୧ ଜୁଲାଇ (ହି.ସ)- ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳମାନଙ୍କ ସହିତ ବନ୍ୟା ପରିସ୍ଥିତି ସମ୍ପର୍କରେ ସୁବିସ୍ତୃତ ସମୀକ୍ଷା କରିଛନ୍ତି। ସମ୍ପ୍ରତି ବିଭିନ୍ନ ଜିଲ୍ଲାରେ ବୃଷ୍ଟିପାତ କମ୍ ଥିବା ସହ ଖରା ପାଗ ହୋଇଥିଲା ବେଳେ ବନ୍ୟା ପରିସ୍ଥିତିରେ କ୍ରମଶଃ ସୁଧାର ଆସିବା ସହ ଏସଆରସି, ଉଦ୍ଧାରକାରୀ ଦଳ ଏବଂ ଜିଲ୍ଲାପ୍ରଶାସନର ସମନ୍ୱିତ ପ୍ରୟାସ ମାଧ୍ୟମରେ ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ତେବେ, ମହାନଦୀର ଜଳପତନ ସ୍ତର ଉପରେ ତୀକ୍ଷଣ ନଜର ରଖାଯିବା ସହ ଏହାର ଅବବାହିକା ଅଂଚଳ ତଥା ଉପକୂଳ ଜିଲ୍ଲାମାନଙ୍କରେ ପ୍ରଶାସନକୁ ସମ୍ପୂର୍ଣ୍ଣ ସଜାଗ ରହିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ବର୍ତମାନ ରାଜ୍ୟର ୩୦ଟି ଜିଲ୍ଲାରୁ ୧୫ଟି ଜିଲ୍ଲା ସମ୍ପୂର୍ଣ୍ଣ ବିପଦମୁକ୍ତ ଥିବା ବେଳେ ବାକି ୧୫ଟି ଜିଲ୍ଲା ବନ୍ୟା ଦ୍ୱାରା ଊଣାଅଧିକେ ପ୍ରଭାବିତ ହୋଇଛନ୍ତି । ୧୫ଟି ଜିଲ୍ଲାର ୫୭ଟି ବ୍ଲକର ୪୪୬ଟି ଗ୍ରାମ ପଂଚାୟତ ଅନ୍ତର୍ଗତ ୧୩୬୨ଟି ଗ୍ରାମ ଏବଂ ୧୧ଟି ପୌରାଞ୍ଚଳର ୧୭୪ ୱାର୍ଡର ପ୍ରାୟ ୭,୯୧,୮୪୬ ଜଣ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ପାଣି ଘେରରେ ୨,୬୮,୯୪୩ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୧୩୮୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି ।
ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ପ୍ରାୟ ୬୪୭ଟି ରିଲିଫ୍ କେନ୍ଦ୍ରରେ ଲୋକମାନଙ୍କୁ ଉଭୟ ରନ୍ଧାଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଶିଶୁମାନଙ୍କ ପାଇଁ ଶିଶୁଖାଦ୍ୟ, ବୟସ୍କ ଏବଂ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଡାକ୍ତରୀ ଟିମ୍ ମଧ୍ୟ ନିୟମିତ ରିଲିଫ୍ କେନ୍ଦ୍ର ପରିଦର୍ଶନ କରି ସେବା ପ୍ରଦାନ କରିବାକୁ ନିୟୋଜିତ ହୋଇଛନ୍ତି । ପର୍ଯ୍ୟାପ୍ତ ପରିମାଣରେ ଗୋଖାଦ୍ୟ ମଧ୍ୟ ବିଭିନ୍ନ ଜିଲ୍ଲାରୁ ତ୍ୱରିତ ଯୋଗାଇ ଦିଆଯାଉଛି ।
ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଦେବୀ, କୁଶଭଦ୍ରା, ଇବ୍, ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୁଲ୍ୟା, ଜଳକା ଆଦି ନଦୀର ଜଳପତନ ସ୍ତର କ୍ରମଶଃ ହ୍ରାସ ପାଇଥିଲା ବେଳେ ମହାନଦୀର ଜଳପତନ ସ୍ତର ବିପଦସଙ୍କେତଠୁଁ ସାମାନ୍ୟ ଅଧିକ ରହିଛି । ସେହିପରି ଶୁକ୍ରବାର ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ୨ ଟି ଗେଟ୍ ଖୋଲା ଥିବା ବେଳେ ମୁଣ୍ଡଳି ଠାରେ ୮,୬୫,୪୭୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା । ତେବେ, ପରେ ପରେ ଆଉ ୧୦ଟି ଗେଟ୍ ଖୋଲା ଯାଇ ସମୁଦାୟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଏହି ଜଳ ହୀରାକୁଦରୁ ଆସି ମୁଣ୍ଡୁଳି ଠାରେ ପହଂଚିବାକୁ ପାଖାପାଖି ଚାଳିଶ ଘଂଟା ସମୟ ଲାଗିବ । ତେବେ ସେତେବେଳକୁ ମୁଣ୍ଡୁଳିଠାରେ ମହାନଦୀର ଜଳସ୍ତର ଅପେକ୍ଷାକୃତ କମ୍ ହୋଇ ଯାଇଥିବାରୁ ଏହି ବନ୍ୟାଜଳ ଦ୍ୱାରା ବିଶେଷ ବିପଦ ସୃଷ୍ଟି ହେବ ନାହିଁ ବୋଲି ଆଶା କରାଯାଉଛି । ତେବେ ମହାନଦୀର ଜଳସ୍ତର ଉପରେ ଜଳସମ୍ପଦ ବିଭାଗ ସହ ସମନ୍ୱୟ ରକ୍ଷା କରି ଦୃଢ଼ ନଜର ରଖାଯାଇଥିଲା ବେଳେ ଅବବାହିକା ଅଂଚଳ ତଥା କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାମାନଙ୍କୁ ସମ୍ପୂର୍ଣ୍ଣ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ସହ ଓଡ୍ରାଫ୍, ଏନଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀ ସବୁଠି ନିୟୋଜିତ ଅଛନ୍ତି କ୍ଷ ରାଜ୍ୟରେ ୧୭ଟି ଓଡ୍ରାଫ୍, ୬ଟି ଏନଡିଆରଏଫ୍ ଏବଂ ୧୧୨ଟି ଅଗ୍ନିଶମ ତଥା ଜରୁରୀକାଳୀନ ଉଦ୍ଧାରକାରୀ ଦଳ ନିୟୋଜିତ ଥିବା ସହ ବିଭିନ୍ନ ଅଞ୍ଚଳରେ ଆବଶ୍ୟକ ଉଦ୍ଧାର କାର୍ଯ୍ୟ, ସ୍ଥାନାନ୍ତରଣ, ରିଲିଫ୍ ସମାଗ୍ରୀ ପ୍ରଦାନ କାର୍ଯ୍ୟ ନିରବଚ୍ଛିନ୍ନ ରହିଛି ।
ବୈଠକରେ ଯେଉଁ ପର୍ଯ୍ୟନ୍ତ ବନ୍ୟା ଜଳ ସମ୍ପୂର୍ଣ୍ଣ ନିଷ୍କାସିତ ହୋଇ ମାଟି ଶୁଖିଲା ନ ହୋଇଛି, ସେ ପର୍ଯ୍ୟନ୍ତ ସମସ୍ତ ରିଲିଫ କେନ୍ଦ୍ରରେ ସେବା ପ୍ରଦାନ କରି ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବନ୍ୟା ଜଳ ଛାଡ଼ିବା ପରେ ବିଭିନ୍ନ ରୋଗ ସଂକ୍ରମଣ ତଥା ସାପକାମୁଡା ଆଦି ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେଉଥିବାରୁ ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି । ବନ୍ୟା ଜଳ ଛାଡ଼ିବା ମାତ୍ରକେ ଯୁଦ୍ଧକାଳୀନ ଭିତିରେ ପାନୀୟଜଳ ବିଭାଗ ଦ୍ୱାରା ସମସ୍ତ ନଳକୂପ ତଥା ଅନ୍ୟାନ୍ୟ ପାନୀୟ ଜଳ ଉତ୍ସ ଗୁଡିକୁ ବିଶୋଧନ କରାଯିବା ସହ ଆବଶ୍ୟକ ମରାମତି କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପାଣିଘେରରେ ଥିବା ପ୍ରଭାବିତ ଲୋକମାନଙ୍କୁ ବିଷୁଦ୍ଧ ପାନୀୟ ଜଳଯୋଗାଣ ସୁନିଶ୍ଚିତ କରାଯାଇଛି ।
ସେହିପରି ବନ୍ୟା ଜଳ ଛାଡିବାର ୭୨ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ଚାଷଜମିର କ୍ଷୟକ୍ଷତି ଆକଳନ କରି ଜିଲ୍ଲାପାଳମାନେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କୃଷି ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମନ୍ୱିତ ଭାବେ ସର୍ବେକ୍ଷଣ କରାଯାଇ ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ତୁରନ୍ତ ମିଳିତ ସହଯୋଗ ତଥା କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଧାନ ତଥା ଶସ୍ୟ ଜାତୀୟ ଫସଲ କିମ୍ବା ପନିପରିବା ସମସ୍ତ ପ୍ରକାର ଚାଷ ନିମନ୍ତେ କ୍ଷତିପୂରଣ ପ୍ରଦାନ ସହିତ ଆବଶ୍ୟକସ୍ଥଳେ କୃଷକମାନଙ୍କୁ ସ୍ୱଳ୍ପ ମିଆଦୀର ବିହନ ମଧ୍ୟ ଯୋଗାଇ ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏଥିସହିତ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ବିଭିନ୍ନ ବିଭାଗର କାର୍ଯ୍ୟାଳୟ ତଥା କୋଠାବାଡ଼ିର ମରାମତି ସହ ଭିତ୍ତିଭୂମି ସୁଦୃଢ଼ କରିବା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ଆଦି କୌଣସି ବି କ୍ଷତିଗ୍ରସ୍ତ ହୋଇଥିଲେ ତାହାର ମରାମତି ସହ ଆବଶ୍ୟକ ପଦକ୍ଷେପ ନିଆଯିବ । ବିଭିନ୍ନ ସ୍ଥାନରେ ବନ୍ୟାଜଳ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତା, ପୋଲ ଆଦିର ମରାମତି ନିମନ୍ତେ ପୂର୍ତ ବିଭାଗ ସହ ଆଲୋଚନା କରାଯାଇଥିଲା ବେଳେ ଆଗାମୀ ଦିନରେ ବିପଦପ୍ରବଣ ଅଞ୍ଚଳରେ ରାସ୍ତାମାନଙ୍କର ଉଚ୍ଚତା ବୃଦ୍ଧି କରି ନିର୍ମାଣ କରିବା ନିମନ୍ତେ ପଦକ୍ଷେପ ନିଆଯିବାକୁ ନିଷ୍ପତ୍ତି ହୋଇଛି ।
ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ଷଡଙ୍ଗୀ, ସ୍ପେଶାଲ୍ ରିଲିଫ୍ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ୍, ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅସ୍ୱତୀ ଏସ୍., ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ, ପାନୀୟ ଜଳ ଯୋଗାଣ ବିଭାଗ, ଜଳସମ୍ପଦ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିବା ବେଳେ ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀବୃନ୍ଦ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା