
ଜୟପୁର, ୩୧ ଜୁଲାଇ (ହି.ସ.)- କୋରାପୁଟ ଜିଲ୍ଲାର ଜୟପୁର ସହରରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ପରିମଳ ବ୍ୟବସ୍ଥା। ସହରର ବିଭିନ୍ନ ୱାର୍ଡ, ଗଳି ଓ ଛକ ନିକଟରେ ଦିନ ଦିନ ଧରି ଆବର୍ଜନା ପଡ଼ି ରହୁଥିବାରୁ ସେଗୁଡ଼ିକ ଏବେ ଅସ୍ଥାୟୀ ଡମ୍ପିଂ ୟାର୍ଡରେ ପରିଣତ ହୋଇଛି। ନିୟମିତ ସଫେଇ ନ ହେବାରୁ ସହରର ଅନେକ ସ୍ଥାନରେ ଅଳିଆ ଆବର୍ଜନାର ଗଦା ସୃଷ୍ଟି ହୋଇଛି। ବର୍ଷା ଦିନରେ ପଚା ଆବର୍ଜନାରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକଙ୍କ ଜୀବନ ଅତିଷ୍ଠ ହୋଇପଡ଼ିଛି। ଏହାସହ ମଶା ବଂଶ ବୃଦ୍ଧି ପାଇ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ବଢ଼ିଛି। ଏଭଳି ପରିସ୍ଥିତି ସହରର ପରିମଳ ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି।ଜୟପୁର ପୌରପାଳିକା ପକ୍ଷରୁ ସହରର ପରିମଳ ବ୍ୟବସ୍ଥାକୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ଏକ ଘରୋଇ ଠିକା ସଂସ୍ଥାକୁ ସଫେଇ ଦାୟିତ୍ୱ ଦିଆଯାଇଛି। ଉଦ୍ଦେଶ୍ୟ ଥିଲା ପ୍ରତିଦିନ ଘର ଘର ବୁଲି ଆବର୍ଜନା ସଂଗ୍ରହ କରି ନିର୍ଦ୍ଦିଷ୍ଟ ଡମ୍ପିଂ ୟାର୍ଡରେ ପହଞ୍ଚାଇବା ଓ ସହରକୁ ସ୍ୱଚ୍ଛ ରଖିବା। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଅନେକ ସ୍ଥାନରୁ ସମୟମତେ ଅଳିଆ ଉଠୁନଥିବାରୁ ଲୋକମାନେ ବାଧ୍ୟ ହୋଇ ରାସ୍ତାକଡ଼, ଖାଲି ପଡ଼ିଥିବା ଜମି ଏବଂ ଗଳି ମୁଣ୍ଡରେ ଆବର୍ଜନା ପକାଉଛନ୍ତି। ଫଳରେ ସହରର ଅନେକ ସ୍ଥାନ ଏବେ ଖୋଲା ଡମ୍ପିଂ ୟାର୍ଡର ରୂପ ନେଇଛି।ସହରର ବିଭିନ୍ନ ଅଞ୍ଚଳରେ ପଡ଼ିଥିବା ପଚା ଖାଦ୍ୟ, ପ୍ଲାଷ୍ଟିକ, ପଲିଥିନ, ମାଂସ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ ଖାଇବା ପାଇଁ ଗାଈ, କୁକୁର ଓ ଅନ୍ୟ ପଶୁମାନେ ଭିଡ଼ ଜମାଉଛନ୍ତି। ଏହା ଫଳରେ ପଶୁମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ବିପଦରେ ପଡ଼ୁଛି। ଏହାସହ ରାସ୍ତାରେ ପଶୁଙ୍କ ଭିଡ଼ ଯୋଗୁଁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ୁଛି। ବର୍ଷା ହେବା ପରେ ଆବର୍ଜନା ଗଦାରେ ପାଣି ଜମି ମଶା ବଂଶ ବୃଦ୍ଧି ପାଇବା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ହେଉଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଏଭଳି ପରିବେଶ ଡେଙ୍ଗୁ, ମ୍ୟାଲେରିଆ ଓ ଅନ୍ୟାନ୍ୟ ଜଳବାହିତ ଓ ମଶାବାହିତ ରୋଗର ସଂକ୍ରମଣକୁ ବଢ଼ାଇପାରେ।ସ୍ଥାନୀୟ ବାସିନ୍ଦାମାନଙ୍କ ଅଭିଯୋଗ, ଦୀର୍ଘଦିନ ଧରି ସହରର ପରିମଳ ବ୍ୟବସ୍ଥା ଅବ୍ୟବସ୍ଥିତ ରହିଥିଲେ ମଧ୍ୟ ପୌରପାଳିକା ପକ୍ଷରୁ କୌଣସି ସ୍ଥାୟୀ ସମାଧାନ କରାଯାଇନାହିଁ। ସେମାନଙ୍କ କହିବା କଥା, ପୂର୍ବରୁ ପୌରପାଳିକା ନିଜସ୍ୱ ସଫେଇ କର୍ମଚାରୀଙ୍କ ମାଧ୍ୟମରେ ସହରର ସଫେଇ କାର୍ଯ୍ୟ ପରିଚାଳନା କରୁଥିଲା। ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯିବା ପରେ ପରିମଳ ବ୍ୟବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ଅଧିକ ଅବ୍ୟବସ୍ଥା ସୃଷ୍ଟି ହୋଇଛି। ତେଣୁ ପୌରପାଳିକା ନିଜେ ସିଧାସଳଖ ସଫେଇ କାର୍ଯ୍ୟର ତଦାରଖ କରିବା ସହ ଠିକା ସଂସ୍ଥାର କାର୍ଯ୍ୟଦକ୍ଷତାର ସମୀକ୍ଷା କରିବାକୁ ସେମାନେ ଦାବି କରିଛନ୍ତି।ଅନ୍ୟପଟେ ଜୟପୁର ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡା. ଅକ୍ଷୟ କୁମାର ରଥ କହିଛନ୍ତି ଯେ, ବର୍ଷା ଋତୁରେ ସ୍ୱଚ୍ଛତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ଘର ଚାରିପାଖରେ ଆବର୍ଜନା ପଡ଼ି ରହିବା, ପାଣି ଜମି ରହିବା ଓ ଅପରିଷ୍କାର ପରିବେଶ ମଶା ବଂଶ ବୃଦ୍ଧିର ପ୍ରମୁଖ କାରଣ। ତେଣୁ ଲୋକମାନେ ସତର୍କ ରହିବା ସହ ପରିବେଶକୁ ସ୍ୱଚ୍ଛ ରଖିବାକୁ ସେ ପରାମର୍ଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି