
ବଲାଙ୍ଗିର, ୩୧ ଜୁଲାଇ (ହି.ସ.) ଆଜି ପୂର୍ବାହ୍ନରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଭାଷୀ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ବର୍ତମାନର ବନ୍ୟା ସ୍ଥିତି ଏବଂ ବିଭିନ୍ନ କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ବିଭାଗକୁ ନିଜ ନିଜର ଅଦ୍ୟତନ ରିପୋର୍ଟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ସାମ୍ପ୍ରତିକ ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ କ୍ଷେତ୍ରସ୍ତରୀୟ ଗସ୍ତ କରି, କ୍ଷୟକ୍ଷତିର ତୁରନ୍ତ ଓ ସଠିକ୍ ଆକଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ତରଣୀ ସୁନା, ବଲାଙ୍ଗୀର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇ, ମୁଖ୍ୟ ଜିଲ୍ଲା ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀ ଡା. ପୁଷ୍ପାଞ୍ଜଳି ମିଶ୍ର, ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶୁତୋଷ ଜେନା, ଡେପୁଟି କଲେକ୍ଟର ନିବେଦିତା ସ୍ୱାଇଁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶୋଭିନା ଭୋଇ, ସସ୍ମିତା ପ୍ରଧାନଙ୍କ ସହିତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ମୁଖ୍ୟ ଜିଲ୍ଲା ପ୍ରାଣୀସମ୍ପଦ ଅଧିକାରୀ, ଉଦ୍ୟାନ କୃଷି ଉପ-ନିର୍ଦ୍ଦେଶକ, ଗ୍ରାମ୍ୟ ଉନ୍ନୟନ, ଜାତୀୟ ରାଜପଥ, କ୍ଷୁଦ୍ର ଜଳସେଚନ ଓ ଜଳସେଚନ ବିଭାଗର ନିର୍ବାହୀ ଓ ଅଧୀକ୍ଷଣ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ। ସମସ୍ତେ ନିଜ-ନିଜ ବିଭାଗର ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କୁ ଅତ୍ୟାବଶ୍ୟକ ଭିତିରେ ନିଜ ନିଜ କ୍ଷେତ୍ରାଂଚଳ ଗସ୍ତ କରି କ୍ଷୟକ୍ଷତିର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ ପୂର୍ବକ ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ