
ଧର୍ମଶାଳା,୩୧ଜୁଲାଇ(ହି.ସ.) - ଦୁଇ ଯୁବକଙ୍କ ମହାନତା । ଟଙ୍କା ବ୍ୟାଗ ପାଇ ଫେରାଇ ପ୍ରଶଂସାର ପାତ୍ର ସାଉଁଟିଛନ୍ତି । ଏଭଳି ଘଟଣା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଂଚଳରେ । ବ୍ରହ୍ମବରଦା ଅଂଚଳର ଯୁବକ ସେକ୍ ଏମଡି ଅସଦ୍ ଶୁକ୍ରବାର ଦିନ ୧୨ଟା ସମୟରେ ହରିପୁରସ୍ଥ ଏକ ବ୍ୟାଙ୍କରୁ ୩୨ହଜାର୭ଶହ ଟଙ୍କା ଉଠାଇ ଏକ କଳା ରଂଗର ବ୍ୟାଗରେ ଭର୍ତି କରି ବାଇକ୍ରେ ଘରକୁ ଫେରିବା ସମୟରେ ବାଟରେ ଉକ୍ତ ବ୍ୟାଗଟି କେଉଁଠାରେ ଖସି ପଡିଥିଲା । ତେବେ ସେ ବ୍ରହ୍ମବରଦା ବ୍ୟାଙ୍କଛକ ନିକଟରେ ବ୍ୟାଗ ନ ଥିବା ଜାଣିବାକୁ ପାଇଥିଲେ । ତେବେ ସେ ବରୁହାଁ ପର୍ଯ୍ୟନ୍ତ ଖୋଜାଖୋଜି କରି ନିରାଶ ହୋଇ ଘରକୁ ଫେରି ଆସିଥିଲେ । ତେବେ ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ଗ୍ରାମର ଦୁଇ ଯୁବକ ପ୍ରପୁଲ୍ଲ ସାହୁ ଓ ଦେବୀ ପ୍ରସାଦ ବାରିକ୍ ଏକ ବାଇକରେ ବ୍ରହ୍ମବରଦାରୁ ବରୁହାଁ ଅଭିମୁଖେ ଯିବା ସମୟରେ ଖଣ୍ଡାସ ଛକ ନିକଟରେ ଏକ ବ୍ୟାଗ ପଡିଥିବା ଦେଖିବାକୁ ପାଇଥିଲେ । ବ୍ୟାଗ ଭିତରେ ଟଙ୍କା ସହିତ ବହୁ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ସହ ବ୍ୟାଙ୍କ ଖାତା ଥିବା ଜାଣିବାକୁ ପାଇଥିଲେ । ଦୁହେଁ ହରିପୁର ଅଂଚଳକୁ ଯାଇ ବ୍ୟାଙ୍କରେ ପଂହଚି ଯୁବକଙ୍କ ଠିକଣା ପାଇ ଯୋଗା ଯୋଗ କରିଥିଲେ । ତେବେ ସେମାନେ ବ୍ରହ୍ମବରଦାସ୍ଥିତ ରୁହାନୀ ମଦ୍ରାସା ନିକଟରେ ପଂହଚି ଅସଦ୍ଙ୍କୁ ଉକ୍ତ ବ୍ୟାଗ ଫେରାଇ ଥିଲେ । ବ୍ରହ୍ମବରଦା ଅଂଚଳର ଯୁବନେତା ରାକେଶ ଦେଓ ଓ ମୁରବୀ ସେକ କଲାମ,ତାଲିମ ଖାଁନ,ଅନୱର ଖାଁନ,ରସିଦ ଖାଁନ,ଫିରଦୋଶ ଆଲାମ ଅସଦ ଖାଁନ,ସଫି ଆଲାମ ଓ ଜୁଲଫୁକାର ଅଲ୍ଲୀ ପ୍ରମୁଖ ପ୍ରପୁଂଲ୍ଲ ଓ ଦେବୀ ପ୍ରସାଦଙ୍କୁ ତାଙ୍କର ଏହି ମହାନତା ପାଇଁ କୃତଜ୍ଞତା ଜଣାଇ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ