
ଭୁବନେଶ୍ୱର, ୩୧ ଜୁଲାଇ (ହି.ସ)- ଓଡ଼ିଶା ଅର୍ବନ୍ ଆକାଡେମୀଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ୨୫ଟି ପୌରାଂଚଳର ପ୍ରାୟ ୬୦ ଜଣ ସିଟି ଇଞ୍ଜିନିୟର, ଟାଉନ୍ ପ୍ଲାନର ଏବଂ କନ୍ସଲଟାଂଟଙ୍କ ପାଇଁ ଏକ ଦୁଇଦିନିଆ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। 'ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା' ଅଧୀନରେ ସହରୀ ଭିତିଭୂମି ପ୍ରକଳ୍ପଗୁଡ଼ିକର ଯୋଜନା, କାର୍ଯ୍ୟାନ୍ୱୟନ ଏବଂ ଅନୁଧ୍ୟାନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା, ବୈଷୟିକ ଦକ୍ଷତା ବୃଦ୍ଧି ଏବଂ ଜ୍ଞାନର ଆଦାନପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।
ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ଯୋଜନା, ଇଞ୍ଜିନିୟରିଂର ଶ୍ରେଷ୍ଠ କାର୍ଯ୍ୟପନ୍ଥା, ଗୁଣବତା ନିଶ୍ଚିତକରଣ, ଚୁକ୍ତିନାମା ପରିଚାଳନା, ପ୍ରକଳ୍ପ ଅନୁଧ୍ୟାନ ଏବଂ ସମୟସୀମା ମଧ୍ୟରେ ସହରୀ ଭିତିଭୂମି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସମ୍ପର୍କରେ ବୈଷୟିକ ଆଲୋଚନାଚକ୍ର ସାମିଲ ରହିଛି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏମଏସବିୱାଇ ଅଧୀନରେ ଚାଲିଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ୨୫ଟି ପୌରାଂଚଳର ଆଧିକାରିକମାନେ ଚାଲୁରହିଥିବା କାର୍ଯ୍ୟର ଭୌତିକ ଓ ଆର୍ôଥକ ଅଗ୍ରଗତି, ସଫଳତା, କାର୍ଯ୍ୟକାରୀ କରିବାରେ ଆସୁଥିବା ଆହ୍ୱାନ ଏବଂ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ସମୟସୀମା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ ।ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା କରି ଶ୍ରୀମତୀ ପାଢ଼ୀ କାର୍ଯ୍ୟାନ୍ୱୟନରେ ଥିବା ସମସ୍ୟାଗୁଡ଼ିକୁ ଦୂର କରିବା, ପ୍ରକଳ୍ପ ଅନୁଧ୍ୟାନକୁ କଡ଼ାକଡ଼ି କରିବା, ଆନ୍ତଃ-ବିଭାଗୀୟ ସମନ୍ୱୟ ରକ୍ଷା କରିବା ଏବଂ ଗୁଣାତ୍ମକ ମାନ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକୁ ଶେଷ କରିବା ପାଇଁ କ୍ଷେତ୍ରସ୍ତରୀୟ ସମସ୍ୟାଗୁଡ଼ିକର ସମୟବଦ୍ଧ ସମାଧାନ କରିବାକୁ ସେ ପୌରାଂଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ।
ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ରବୀନ୍ଦ୍ର କୁମାର ସାହୁ ମଧ୍ୟ ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ ଏବଂ ସମୟବଦ୍ଧ କାର୍ଯ୍ୟାନ୍ୱୟନ, ଗୁଣବତା ନିଶ୍ଚିତକରଣ ଓ ପ୍ରଭାବୀ ପ୍ରକଳ୍ପ ପରିଚାଳନା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।ଆସନ୍ତାକାଲି ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବ, ଯେଉଁଥିରେ ଅନ୍ୟ ୨୫ଟି ପୌରାଂଚଳର ବୈଷୟିକ ଆଧିକାରିକମାନେ ଅଂଶଗ୍ରହଣ କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା