
ନୂଆପଡ଼ା,୧୩ ଅଗଷ୍ଟ (ହି.ସ.) - ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅବକାରୀ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ପ୍ରାରମ୍ଭରେ ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ଜିଲ୍ଲାରେ ବିଭାଗ ପକ୍ଷରୁ ଚାଲିଥିବା ଆଇନ ପ୍ରବର୍ତନ, ଅବୈଧ ମଦ ବିରୋଧୀ ଚଢ଼ାଉ, ରାଜସ୍ୱ ଆଦାୟ ଓ ବିଭାଗୀୟ କାର୍ଯ୍ୟଦକ୍ଷତା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।
ଜୁଲାଇ ମାସରେ ଜିଲ୍ଲାରେ ୧୯୩ଟି ମାମଲା ରୁଜୁ ହୋଇଥିବାବେଳେ ୧୦୮ ଜଣଙ୍କୁ ଗିରଫ କରାଯାଇ ୬୮ଟି ମାମଲା କୋର୍ଟକୁ ପଠାଯାଇଛି। ଏହି ସମୟରେ ୨,୨୮୨ ଲିଟର ଆଇଡି ମଦ, ୮୭୭.୪ ବଲ୍କ ଲିଟର ଓଏସ୍ ମଦ ଏବଂ ୪୪,୫୩୦ ଲିଟର ଫରମେଂଟେଡ୍ ମହୁଲି ୱାଶ୍ ଜବତ କରାଯାଇଛି।
ରାଜସ୍ୱ ଆଦାୟ କ୍ଷେତ୍ରରେ ୨୦୨୬-୨୭ ବର୍ଷ ପାଇଁ ୩୨ କୋଟି ୫୭ ଲକ୍ଷ ଟଙ୍କାର ବାର୍ଷିକ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ଜୁଲାଇ ଶେଷ ସୁଦ୍ଧା ୭ କୋଟି ୨୯ ଲକ୍ଷ ୯୦ ହଜାର ୬୨୪ ଟଙ୍କା ଆଦାୟ ହୋଇଛି। ଏହା ଧାର୍ଯ୍ୟ ଲକ୍ଷ୍ୟର ୨୨.୪୧ ପ୍ରତିଶତ ହୋଇଥିବାବେଳେ ଗତବର୍ଷର ସମାନ ଅବଧି ତୁଳନାରେ ରାଜସ୍ୱ ଆଦାୟରେ ୮.୦୭ ପ୍ରତିଶତ ବୃଦ୍ଧି ହୋଇଛି।
ବୈଠକରେ ଜିଲ୍ଲାପାଳ ମଦ ଦୋକାନଗୁଡ଼ିକରେ ନିର୍ଦ୍ଧାରିତ ସର୍ବାଧିକ ଖୁଚୁରା ବିକ୍ରୟ ମୂଲ୍ୟ(ଏମ୍ଆର୍ପିି) ଠାରୁ ଅଧିକ ଦରରେ ମଦ ବିକ୍ରୟ ହେଉଛି କି ନାହିଁ, ତାହା ନିୟମିତ ଯାଂଚ କରିବାକୁ କହିଥିଲେ। ଏଥିପାଇଁ ଅଚାନକ ଚଢ଼ାଉ ଓ ଯାଂଚକୁ ଗୁରୁତ୍ୱ ଦେବା ସହ ନିୟମ ଉଲ୍ଲଂଘନ ହେଲେ ଦୃଢ଼ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଚୋରା ମଦ କାରବାର ବିରୋଧରେ ଚଢ଼ାଉକୁ ଆହୁରି ଜୋରଦାର କରିବାକୁ ମଧ୍ୟ କହିଥିଲେ।
ବୈଠକରେ ଅବକାରୀ ନିରୀକ୍ଷକ ହୀରାବତୀ ଥାଟି, ସେକ୍ସନ ଅଫିସର ସୌମ୍ୟକାନ୍ତ ଓଟ୍ଟା, ଅବକାରୀ ଉପ-ନିରୀକ୍ଷକ ବୃନ୍ଦାବତୀ ଭୁଆ, ଅବକାରୀ ସହକାରୀ ଉପ-ନିରୀକ୍ଷକ ବଳଭଦ୍ର ରାଉତଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ