
ନୂଆପଡ଼ା,୧୩ ଅଗଷ୍ଟ (ହି.ସ.) - ଲଗାଣ ବର୍ଷାରେ ଘର ଭାଙ୍ଗିଯାଇ ଅସହାୟ ହୋଇପଡ଼ିଥିବା ଜଣେ ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଂଚି ସହାୟତାର ହାତ ବଢ଼ାଇଛନ୍ତି ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି ଓ ସାନ ମହେଶ୍ୱର ପଂଚାୟତର ସରପଂଚ ଆଲ୍ଲାଦିନି ବେହେରା। ଏଭଳି ମାନବିକ ପଦକ୍ଷେପ ପାଇଁ ସ୍ଥାନୀୟ ଲୋକେ ଉଭୟ ଜନପ୍ରତିନିଧିଙ୍କୁ ପ୍ରଶଂସା କରିଛନ୍ତି। ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସାନ ମହେଶ୍ୱର ପଂଚାୟତର କୁଲିଗାଁରେ ଏହି ଘଟଣା ଘଟିଛି। ଲଗାଣ ବର୍ଷା ଯୋଗୁଁ ଗାଁର ବୃଦ୍ଧ ଦମ୍ପତି ବୈଦ୍ୟନାଥ ଶବର ଓ ପଦ୍ମାଦେଇ ଶବରଙ୍କ ଘର ଭାଙ୍ଗିଯାଇଥିଲା। ଏନେଇ ଖବର ପାଇବା ପରେ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି ଓ ସରପଂଚ ଆଲ୍ଲାଦିନି ବେହେରା ଦମ୍ପତିଙ୍କ ଘରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ। ବୃଦ୍ଧ ଦମ୍ପତିଙ୍କ ଅସୁବିଧାକୁ ଦେଖି ନୂତନ ଆବାସ ଘର ନିର୍ମାଣ ହେବା ପର୍ଯ୍ୟନ୍ତ ଭଙ୍ଗା ଘରର ମରାମତି କରି ସେମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଇଥିଲେ। ଏଥିପାଇଁ ଇଟା, ସିମେଂଟ, ବାଲି ସମେତ କିଛି ଆର୍ôଥକ ସହାୟତା ଓ ରାସନ ସାମଗ୍ରୀ ମଧ୍ୟ ଯୋଗାଇ ଦେଇଥିଲେ। ନୂତନ ଆବାସ ଘର ନିର୍ମାଣ ହେବା ପର୍ଯ୍ୟନ୍ତ ବୃଦ୍ଧ ଦମ୍ପତିଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ଆବଶ୍ୟକ ସହଯୋଗ ଜାରି ରଖିବାକୁ ମଧ୍ୟ ଜନପ୍ରତିନିଧିମାନେ ଆଶ୍ୱାସନ ଦେଇଛନ୍ତି। ଦୁର୍ଦ୍ଦିନରେ ଅସହାୟ ପରିବାର ପାଖରେ ଛିଡ଼ା ହୋଇ ସହଯୋଗର ହାତ ବଢ଼ାଇଥିବା ଏହି ପଦକ୍ଷେପକୁ ଅଂଚଳବାସୀ ସ୍ୱାଗତ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ