କେଲଡାମାଲରେ ଏନ୍ ଏ ଏଲ ଏସ ଏ ସମ୍ବାଦ ଓ ସ୍ପୃହା ଯୋଜନା ନେଇ ଆଇନ ସଚେତନତା
Awareness programme in Keldamal
Awareness programme in Keldamal


ଝାରସୁଗୁଡ଼ା, ୧୩ ଅଗଷ୍ଟ (ହି.ସ.) - ଜାତୀୟ ଆଇନ ସେବା ପ୍ରାଧିକରଣ ଙ୍କ ନିର୍ଦ୍ଦେଶକ୍ରମେ ଏବଂ ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ନିର୍ଦ୍ଦେଶରେ ଗୁରୁବାର କୋଲାବିରା ବ୍ଲକ ଅନ୍ତର୍ଗତ କେଲଡାମାଲ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ଏନ୍ ଏ ଏଲ ଏସ ଏ ସ୍କିମ ୨୦୨୫ ସମ୍ପର୍କରେ ଗ୍ରାମବାସୀଙ୍କୁ ବିସ୍ତୃତ ଭାବେ ସଚେତନ କରାଯାଇଥିଲା। ‘ନାଲସା ସମ୍ବାଦ’ ଯୋଜନା ମାଧ୍ୟମରେ ଦୁର୍ଗମ ଓ ଆଦିବାସୀ ଅଂଚଳର ଲୋକଙ୍କ ନିକଟରେ ଆଇନଗତ ସହାୟତା ପହଂଚାଇବା, ଜମିଜମା ସମ୍ବନ୍ଧୀୟ ସମସ୍ୟାର ସମାଧାନ ଏବଂ ସରକାରୀ ଯୋଜନାର ସୁଫଳ ପହଂଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏଥିସହ ଆଦିବାସୀ, ଅତ୍ୟନ୍ତ ଦୁର୍ବଳ ଓ ବଂଚିତ ସମୁଦାୟ, ଡିନୋଟିଫାଏଡ୍ ଓ ନୋମାଡିକ୍ ଟ୍ରାଇବ୍ସଙ୍କ ନ୍ୟାୟ ପ୍ରାପ୍ତିରେ ଥିବା ବାଧା ଦୂର କରିବାରେ ଆଇନ ସେବା ପ୍ରାଧିକରଣର ଭୂମିକା ନେଇ ଆଲୋଚନା କରାଯାଇଥିଲା।

ସେହିପରି ‘ନାଲସା ସ୍ପୃହା’ ଯୋଜନା ଅଧୀନରେ ବିଚାରାଧୀନ କଏଦୀ, କାରାଗାରରେ ଥିବା ବ୍ୟକ୍ତିଙ୍କ ନିର୍ଭରଶୀଳ ପରିବାରବର୍ଗ ଏବଂ ଅପରାଧର ଶିକାର ପୀଡ଼ିତଙ୍କୁ ମାଗଣା ଆଇନ ସହାୟତା, ପରାମର୍ଶ, ଶିଶୁମାନଙ୍କ ଶିକ୍ଷା ଓ ସାମାଜିକ ପୁନର୍ବାସ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଯେକୌଣସି ବର୍ଗର ବ୍ୟକ୍ତି ଆଇନଗତ ସମସ୍ୟାରେ ପଡ଼ିଲେ କିପରି ନିଃଶୁଳ୍କ ଆଇନ ସହାୟତା ପାଇପାରିବେ, ସେ ନେଇ ମଧ୍ୟ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା।

କାର୍ଯ୍ୟକ୍ରମରେ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା)ର ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଆଲୋକ ମୟୀ ପ୍ରଧାନଙ୍କ ସମେତ ବିଚାର ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। ଆଇନ ସେବା ପ୍ରତିପକ୍ଷ ଓକିଲ ସାଜଦା ବେଗମ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ ପାଢୀଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ଜନସାଧାରଣ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande