
ଝାରସୁଗୁଡ଼ା, ୧୩ ଅଗଷ୍ଟ (ହି.ସ.)- ସ୍ୱାଧୀନତାର ୭୯ ବର୍ଷ ପରେ ବି ଗାଁକୁ ପହଞ୍ଚିନି ପକ୍କା ରାସ୍ତା। ସାମାନ୍ୟ ବର୍ଷା ହେଲେ ଚାଷଜମିର ରୂପ ନେଉଛି ରାସ୍ତା। ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ପରମାଣପୁର ପଞ୍ଚାୟତ ଅଧୀନ ଚନ୍ଦ୍ରଡିହି ଗ୍ରାମରେ।
ଜାତୀୟ ରାଜପଥଠାରୁ ମାତ୍ର ପ୍ରାୟ ୨ କିମି ଦୂରରେ ଥିବା ଏହି ଗ୍ରାମକୁ ଯାତାୟାତ ପାଇଁ ଆଜି ବି ଭରସା ମାଟି ରାସ୍ତା। ବର୍ଷା ହେଲେ ରାସ୍ତା କାଦୁଅ ପଚପଚ ହୋଇଯାଉଥିବାରୁ ଗ୍ରାମବାସୀଙ୍କ ଯାତାୟାତ ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି। ବିଶେଷକରି ରୋଗୀ, ବୃଦ୍ଧ, ଛାତ୍ରଛାତ୍ରୀ ଓ ଚାଷୀମାନେ ଏଥିପାଇଁ ଅଧିକ ସମସ୍ୟା ଭୋଗୁଛନ୍ତି। ପତ୍ରାପାଲି ରାଜସ୍ୱ ଗ୍ରାମ ଅଧୀନରେ ଥିବା ଚନ୍ଦ୍ରଡିହି ପଡ଼ାରେ ପ୍ରାୟ ୩୦ରୁ ୪୦ ପରିବାର ବସବାସ କରୁଛନ୍ତି। ପ୍ରାୟ ୯୦ ପ୍ରତିଶତ ପରିବାର କୃଷି ଉପରେ ନିର୍ଭରଶୀଳ। ପନିପରିବା ଚାଷ ପାଇଁ ଏହି ଗ୍ରାମର ଏକ ସ୍ୱତନ୍ତ୍ର ପରିଚୟ ରହିଥିଲେ ମଧ୍ୟ ଖରାପ ରାସ୍ତା ଯୋଗୁଁ ଉତ୍ପାଦିତ ପନିପରିବା ବଜାରକୁ ନେବାରେ ଚାଷୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରାସ୍ତା ନିର୍ମାଣ ପାଇଁ ବହୁବାର ପ୍ରଶାସନ ନିକଟରେ ଦାବି ଜଣାଯାଇଛି। ପ୍ରାୟ ବର୍ଷେ ପୂର୍ବେ ବର୍ତ୍ତମାନର ପରମାଣପୁର ସରପଞ୍ଚ ଜାହ୍ନବୀ ପ୍ରଧାନ ମଧ୍ୟ ରାସ୍ତା ନିର୍ମାଣ ପାଇଁ ଉଦ୍ୟମ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେବେ ରାସ୍ତା ଯେଉଁ ସ୍ଥାନ ଦେଇ ଯିବାକୁ ଥିବା ସେଠାରେ ଦୁଇଜଣ ବ୍ୟକ୍ତିଙ୍କ ରୟତି ଜମି ଥିବାରୁ ଜମିଜମା ସମସ୍ୟା ଯୋଗୁଁ ରାସ୍ତା ନିର୍ମାଣ ଅଟକି ରହିଥିବା କେତେକ ଗ୍ରାମବାସୀ କହିଛନ୍ତି।
ବର୍ଷା ଋତୁରେ ସମସ୍ୟା ଆହୁରି ଗୁରୁତର ହୋଇପଡ଼ୁଛି। ଗ୍ରାମକୁ ଯିବା ପାଇଁ ଅନ୍ୟ କୌଣସି ବିକଳ୍ପ ରାସ୍ତା ନଥିବାରୁ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢ଼ିଯାଉଛି। ରାସ୍ତା ନିର୍ମାଣରେ ଥିବା ରୟତି ଜମି ସମସ୍ୟାର ସମାଧାନ କରିବା ସହ ତୁରନ୍ତ ରାସ୍ତାର ନୂତନ ନିର୍ମାଣ କରିବାକୁ ଗ୍ରାମର ରାଜେଶ ପ୍ରଧାନ, ମୀନକେତନ ପ୍ରଧାନ, ମହେନ୍ଦ୍ର ପ୍ରଧାନ, ମୁନକୁ ପ୍ରଧାନ, ସଞ୍ଜୟ ସାହୁଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି। ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି ତୁରନ୍ତ ହସ୍ତକ୍ଷେପ କରି ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବେ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ