ଧାନ ବିକ୍ରିକୁ ନେଇ ରାଜ୍ୟ ସରକାରଙ୍କ କଡା ନିୟମକୁ ଚାଷିଙ୍କ ବିରୋଧ
ଜୟପୁର, ୧୩ ଅଗଷ୍ଟ (ହି.ସ.)- ଧାନବିକ୍ରି ନେଇ ରାଜ୍ୟ ସରକାର ଦିନକୁ ଦିନ ଗୋଟିଏ ପରେ ଗୋଟିଏ ନିୟମ ଲାଗୁ କରୁଛନ୍ତି । ଏଥିପାଇଁ ପ୍ରତି ୬ ମାସରେ ଥରେ ଚାଷୀ ପଞ୍ଜୀକରଣ କରାଯାଉଛି । ତେବେ ପଞ୍ଜୀକରଣ ସମୟରେ ଯେଉଁ କଟକଣା ରହୁଛି, ତାକୁ ନେଇ କୋରାପୁଟ ଜିଲାରେ ଚାଷୀ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି ।
ଧାନ ବିକ୍ରି କୁ ନେଇ ରାଜ୍ୟ ସରକାରଙ୍କ କଡା ନିୟମ କୁ ଚାଷିଙ୍କ ବିରୋଧ


ଜୟପୁର, ୧୩ ଅଗଷ୍ଟ (ହି.ସ.)- ଧାନବିକ୍ରି ନେଇ ରାଜ୍ୟ ସରକାର ଦିନକୁ ଦିନ ଗୋଟିଏ ପରେ ଗୋଟିଏ ନିୟମ ଲାଗୁ କରୁଛନ୍ତି । ଏଥିପାଇଁ ପ୍ରତି ୬ ମାସରେ ଥରେ ଚାଷୀ ପଞ୍ଜୀକରଣ କରାଯାଉଛି । ତେବେ ପଞ୍ଜୀକରଣ ସମୟରେ ଯେଉଁ କଟକଣା ରହୁଛି, ତାକୁ ନେଇ କୋରାପୁଟ ଜିଲାରେ ଚାଷୀ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । ବିଚିତ୍ର ନିୟମ ଯୋଗୁଁ କୋରାପୁଟ ଜିଲାର ଚାଷୀ ଏବେ ଚିନ୍ତାରେ ପଡିଛନ୍ତି । ବାପାଙ୍କ ନାଁରେ ଜମି ଥିବାବେଳେ ଯଦି ସେ ମୃତ୍ୟୁ ବରଣ କରିସାରିଛନ୍ତି, ତେବେ ସେହି ଜମିରେ ଫଳିଥିବା ଧାନ ପୁଅ କେମିତି ବିକିବ ତାହା ଏବେ ବଡ ପ୍ରଶ୍ନ ହୋଇଛି ।

ସରକାର ଚଳିତ ୨୦୨୬-୨୭ ଖରିଫ ବର୍ଷ ପାଇଁ ଅଗଷ୍ଟ ୬ ତାରିଖରୁ ଧାନ ପଞ୍ଜିକରଣ ଆରମ୍ଭ କରିଛନ୍ତି । ମାତ୍ର ନୂଆ ନିୟମ ଅନୁଯାୟୀ ପ୍ରତି ଚାଷୀଙ୍କ ପାଇଁ ଏଗ୍ରିଷ୍ଟାକ ଆଇଡି ବାଧ୍ୟତାମୂଳକ କରାଯାଇଛି । ବାପାଙ୍କ ନାଁରେ ପଟ୍ଟା ଥିଲେ ପୁଅ ବା ନାତି ଏଗ୍ରିଷ୍ଟାକ କରି ନଥିଲେ ତାଙ୍କୁ ଟୋକନ ମିଳିବ ନାହିଁ । ଫଳରେ ପ୍ୟାକ୍ସ ରେ ଧାନ ବିକ୍ରି କରିପାରିବେ ନାହିଁ । ଚାଷୀଙ୍କ ପ୍ରଶ୍ନ ହେଉଛି, ଯେଉଁ ବାପା ୨ ବର୍ଷ କିମ୍ବା ୧୦ ବର୍ଷ ତଳେ ମରିସାରିଛନ୍ତି, ସେ କ'ଣ ଆସି ରାଜସ୍ୱ ଅଫିସ କିମ୍ବା ପ୍ୟାକ୍ସକୁ ପଟ୍ଟା ନେଇ ପଞ୍ଜିକରଣ କରିବେ । ଆଉ ଗୋଟିଏ ପଟେ ବାପା ଋଣ କରି ମରିଗଲେ ବ୍ୟାଙ୍କ ପୁଅକୁ ମୂଳ ସୁଧ ସହ ଋଣ ସୁଝିବାକୁ ବାଧ୍ୟ କରୁଛି । ସେହି ଜମିରେ ଚାଷ କରି ଫସଲ ବିକି ଋଣ ସୁଝିବାର ରାସ୍ତା ବନ୍ଦ କଲେ ଚାଷୀ ଯିବେ କୁଆଡେ ବୋଲି ଚାଷି ପ୍ରଶ୍ନ କରିଛନ୍ତି । ଏନେଇ ବିଭାଗର ନିର୍ଦେଶ ଓ ମନ୍ତ୍ରୀଙ୍କ କଥାରେ ତାଳମେଳ ରହୁନଥିବା ଅଭିଯୋଗ ହୋଇଛି । ଗତ ବର୍ଷ ଜୁଲାଇ ୧୫ ତାରିଖରୁ ପଞ୍ଜିକରଣ ହେଉଥିବା ବେଳେ ଏଥର ନଭେମ୍ବର ସୁଦ୍ଧା ଏଗ୍ରିଷ୍ଟାକ କରିବାକୁ ସମୟ ଦିଆଯାଇଛି । ଏହି କଡା ନିୟମକୁ ତୁରନ୍ତ କୋହଳ କରି ଉତ୍ତରାଧିକାରୀ ଚାଷୀଙ୍କୁ ବିକଳ୍ପ ବ୍ୟବସ୍ଥା ଦେବାକୁ କୋରାପୁଟ ଜିଲାର ଶହ ଶହ ଚାଷୀ ଅନୁରୋଧ କରିଛନ୍ତି । ନଚେତ୍ ସୁନାର ଫସଲ ବି ପଡି ପଚିଯିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି । ୯୦ ପ୍ରତିଶତ ଚାଷୀଙ୍କୁ ଧାନବିକ୍ରି

ପ୍ରକ୍ରିୟାରୁ ବଞ୍ଚିତ କରିବା ପାଇଁ ସରକାର ଏଭଳି ନୂଆ ପଞ୍ଜୀକରଣ ବ୍ୟବସ୍ଥା କରିଛନ୍ତି ଏବଂ ସରକାରଙ୍କ ଏହି ଚକ୍ରାନ୍ତକୁ ବରଦାସ୍ତ କରାଯିବ ନାହିଁ ବୋଲି ସଂଗଠନର ନେତୃବୃନ୍ଦ ଚେତାବନୀ ଦେଇଥିଲେ । ଚଳିତ ଖରିଫ ଋତୁ ପାଇଁ ସରକାର ନୂତନ ପଞ୍ଜୀକରଣ ପାଇଁ ଯେଉଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି, ସେଥିରେ ଏଗ୍ରିଷ୍ଟାକ ଆଇଡିକୁ ବାଧ୍ୟତାମୂଳକ କରାଯାଇଛି । ଏହି ବ୍ୟବସ୍ଥାରେ ୯୦ ପ୍ରତିଶତ ଚାଷୀ ପଞ୍ଜୀକରଣ କରି ନପାରି ଧାନବିକ୍ରି ପ୍ରକ୍ରିୟାରୁ ବଞ୍ଚିତ ହେବେ । ଏଣୁ ଅତିଶୀଘ୍ର ସରକାର ଏହି ବ୍ୟବସ୍ଥାକୁ ପରିବର୍ତ୍ତନ ସହିତ ସୀମିତ ସମୟସୀମାକୁ ବୃଦ୍ଧି କରିବାକୁ ଚାଷି ସଂଗଠନ ମାନେ ଦାବି କରିଛନ୍ତି । ସେହିପରି ସମସ୍ତ ଚାଷୀଙ୍କୁ ଜମିପଟ୍ଟା ଦେବାକୁ ପ୍ରାଥମିକତା ଦିଅନ୍ତୁ ଅନ୍ୟଥା ସରକାର ଭୟଙ୍କର ଚାଷୀ ଅସନ୍ତୋଷର ଶିକାର ହେବେ ବୋଲି ମଧ୍ୟ ସେ ସରକାରଙ୍କୁ ଚେତାବନି ଦେଇଛନ୍ତି ।

ଗତ ଖରିଫ ଋତୁ ସମୟରେ ମଧ୍ୟ ରାଜ୍ୟ ସରକାର ଏକ ଜଟିଳ ପଞ୍ଜୀକରଣ ବ୍ୟବସ୍ଥା ଲାଗୁ କରିଥିଲେ ଏବଂ ଚାଷୀମାନଙ୍କ ଆନ୍ଦୋଳନ ପରେ ତାହାକୁ ପ୍ରତ୍ୟାହାର କରିଥଲେ । ଚଳିତବର୍ଷ ପୁଣି ନୂଆ ଏକ କଟକଣା ବ୍ୟବସ୍ଥା ଲାଗୁ କରିଛନ୍ତି । ଏପରି ଚାଷୀ ବିରୋଧି ଆଚରଣରୁ ସରକାର ନିବୃତ୍ତ ରହି ଏକ ସରଳ ଓ ଚାଷୀଭିମୁଖୀ ପଞ୍ଜିକରଣ ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ଚାଷି ମାନେ ଦାବି କରିଛନ୍ତି । ଛତିଶଗଡ଼ର ପଞ୍ଜୀକରଣ ଓ ଧାନ ବ୍ୟବସ୍ଥାରୁ ସରକାର କିଛି ଶିକ୍ଷାଲାଭ କରନ୍ତୁ । ଛତିଶଗଡ଼ରେ ସମସ୍ତ ଚାଷୀଙ୍କ ପାଖରେ ନିଜ ନାମରେ ଜମିପଟ୍ଟା ରହିଛି ଏବଂ ସେଠାକାର ସରକାର ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ସମୟ ଦେଇଥାଏ । କିନ୍ତୁ ଓଡ଼ିଶା ପରି କୃଷି ପ୍ରଧାନ ରାଜ୍ୟରେ ଏତେ ବ୍ୟତିକ୍ରମ କାହିଁକି ବୋଲି ସରକାରଙ୍କୁ ସେ ପ୍ରଶ୍ନ କରିଥିଲେ । ଧାନବିକ୍ରି କାର୍ଡ ପଞ୍ଜୀକରଣ ସମୟରେ ଏଗ୍ରିଷ୍ଟାକକୁ ତୀବ୍ର ବିରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏନେଇ ଗତ ସୋମବାର ଦିନ ଚାଷି ମାନେ ଏକତ୍ରିତ ହୋଇ ଜିଲାପାଳଙ୍କୁ ଘେରାଉ କରିଥିବା ବେଳେ ବିଜେଡି ମଧ୍ୟ ରାଜ୍ୟ ସରକାରଙ୍କ ନିୟମକୁ ବିରୋଧ କରି ତୁରନ୍ତ ପୁରୁଣା ଗାଇଡ ଲାଇନକୁ ପ୍ରଚଳନ କରିବାକୁ ଦାବି କରିଛି । ନଚେତ ଆନ୍ଦୋଳନ ଜୋରସୋର ହେବ ବୋଲି ଚେତାବନୀ ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande