
ନୂଆପଡ଼ା,୧୩ ଅଗଷ୍ଟ (ହି.ସ.) - ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଆଜି ଉତ୍ସାହ ଓ ଉଦ୍ଦୀପନାର ସହିତ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଆଜି ପାଳିତ ହୋଇଯାଇଛି। ଭାରତ ମାତାଙ୍କ ସମ୍ମାନ, ଜାତୀୟ ପତାକାର ମର୍ଯ୍ୟାଦା ଓ ଦେଶପ୍ରେମର ଭାବନାକୁ ଜନମାନସରେ ଜାଗ୍ରତ କରିବା ଉଦ୍ଦେଶ୍ୟରେ ମହାବିଦ୍ୟାଳୟ ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ରାଲି ଆୟୋଜିତ ହୋଇଥିଲା। ଏହି ରାଲିରେ ୩ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ପତାକା ଧରି ଯୋଗଦେଇଥିଲେ। ଏଥିରେ ୩୦୦ ମିଟରରୁ ଅଧିକ ଲମ୍ବା ବିଶାଳ ତ୍ରିରଙ୍ଗା ପତାକା ମଧ୍ୟ ପ୍ରଦର୍ଶିତ ହୋଇଥିଲା। ମହାବିଦ୍ୟାଳୟ ପରିସରରୁ ବାହାରିଥିବା ଏହି ରାଲି ଖଡ଼ିଆଳ ସହରର ବିଭିନ୍ନ ଅଂଚଳ ପରିକ୍ରମା କରି ୩୫୩ ନମ୍ବର ଜାତୀୟ ରାଜପଥ ଦେଇ ପୁନର୍ବାର ମହାବିଦ୍ୟାଳୟ ପରିସରକୁ ଫେରିଥିଲା। ରାଲିରେ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ନାରା ଦେଇ ଖଡ଼ିଆଳ ସହରବାସୀଙ୍କ ମନରେ ଦେଶଭକ୍ତିର ଭାବନା ଜାଗ୍ରତ କରିଥିଲେ। ତ୍ରିରଙ୍ଗା ପ୍ରତି ସମ୍ମାନ, ଦେଶ ପ୍ରତି ଭଲପାଇବା ଏବଂ ଦେଶର ଏକତା ଓ ଅଖଣ୍ଡତାକୁ ମଜଭୁତ କରିବାର ବାର୍ତା ରାଲି ମାଧ୍ୟମରେ ଦିଆଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରୋଜ ପଣ୍ଡା, ଗୀତାଶ୍ରୀ ପ୍ରିୟମ୍ବଦା, ରଣବୀର ସିଂହ, ରାଜଲକ୍ଷ୍ମୀ ରଥ, ବିୟୁଟି ଅଗ୍ରୱାଲ, ନିବେଦିତା ଆଚାରୀ, ପ୍ରଣତି ପଣ୍ଡା, ଶତରୂପା ପଟ୍ଟନାୟକ, ଚର୍ଚ୍ଚିକା ବେହେରା, ଅଧ୍ୟାପକ ଗୁଣବନ୍ତ ସାହୁ, ବିଷ୍ଣୁ ଦେବ ସିଂ ମଲ୍ଲିକ, ରାଜ କୁମାର ରତେ, ହରିହର ଭେସରା, ଜିତେନ୍ଦ୍ର କଳସାଇ, ସୁରେଶ ବାଗ, ମୃତ୍ୟୁଞ୍ଜୟ ମେହେର, ରୂପବନ୍ତ ଭୋଇ, ବିପିନ ବିଶି, ଦିବ୍ୟ ନାଗ, ଅଭିଷେକ ରଥ, ସୂର୍ଯ୍ୟକାନ୍ତ ଠାକୁର, ଗିରିଧାରୀ ନାଏକ, ନନ୍ଦୀଘୋଷ ନାଗଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଯୋଗଦେଇଥିଲେ। ଏହି ଅବସରରେ ଅଧ୍ୟାପକ-ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କୁ ଜାତୀୟ ପତାକାର ମହତ୍ୱ, ଦେଶର ଏକତା, ଅଖଣ୍ଡତା ଓ ଦେଶପ୍ରେମର ଆବଶ୍ୟକତା ସମ୍ପର୍କରେ ସଚେତନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ