ସୁରକ୍ଷା ସାମଗ୍ରୀ ବିନା ବିଦ୍ୟୁତ୍ ମରାମତି, ଦୁର୍ଘଟଣା ଆଶଙ୍କା
Maintenance of electricity without safety
Maintenance of electricity


ଝାରସୁଗୁଡ଼ା, ୧୩ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଉଦ୍ୟାନ କୃଷି ବିଭାଗ ସମ୍ମୁଖରେ ବିନା ସୁରକ୍ଷା ସାମଗ୍ରୀରେ ବିଦ୍ୟୁତ୍ ଓ ଟେଲିଫୋନ୍ ତାର ମରାମତି କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି। ଜନଗହଳିପୂର୍ଣ୍ଣ ଅଞ୍ଚଳରେ କର୍ମଚାରୀମାନେ ହେଲମେଟ୍, ସୁରକ୍ଷା ଜୋତା ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁରକ୍ଷା ଉପକରଣ ବିନା ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି କାମ କରୁଥିବା ଦେଖାଯାଇଥିବା କୁହାଯାଉଛି। ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଥିବାରୁ ବିଦ୍ୟୁତ୍ ମରାମତି ସମୟରେ ସାମାନ୍ୟ ଅସାବଧାନତା ମଧ୍ୟ ବଡ଼ ଧରଣର ଦୁର୍ଘଟଣାର କାରଣ ହୋଇପାରେ। ଏଭଳି ପରିସ୍ଥିତିରେ ବିନା ସୁରକ୍ଷା ଉପକରଣରେ କାମ କରାଯିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଶେଷକରି ଜିଲ୍ଲା ପ୍ରଶାସନର ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଏଭଳି ଅବହେଳାକୁ ନେଇ ପ୍ରଶ୍ନ ଉଠିଛି।

ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଜାଣିବା ପାଇଁ ଝାରସୁଗୁଡ଼ା ବେହେରାମାଲ ବିଦ୍ୟୁତ୍ ବିଭାଗର ଏସଡିଓ କୁଳମଣି ଚନ୍ଦ୍ର କିସାନଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନଥିଲା। ତେବେ ବିଦ୍ୟୁତ୍ ମରାମତି ସମୟରେ ସମସ୍ତ ସୁରକ୍ଷା ନିୟମ କଡ଼ାକଡ଼ି ଭାବେ ପାଳନ ସହ କର୍ମଚାରୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଦାବି ହୋଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande