
ବଲାଙ୍ଗିର, ୧୩ ଅଗଷ୍ଟ (ହି.ସ.)- ପ୍ରାକ୍-ସ୍ୱାଧୀନତା ଦିବସ ଉତ୍ସବ ଅବସରରେ ‘ସମୟ ଲାଇଭ ’ ପକ୍ଷରୁ ଓଡ଼ିଶା ଭବନରେ ଏକ ସ୍ୱତନ୍ତ୍ର ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା। ଏହି ଅବସରରେ ବଲାଙ୍ଗୀର ଏସ ୟୁ ଜେ ସଭାପତି ସରତ ମହାକୁରଙ୍କୁ ସମ୍ମାନିତ କରାଯାଇଥିଲା।
କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏବଂ ‘ସମୟ’ର ନିର୍ଦ୍ଦେଶିକା ଅନିତା ମହାନ୍ତି ସରତ ମହାକୁରଙ୍କୁ ସମ୍ମାନିତ କରିଥିଲେ। ଗଣମାଧ୍ୟମ ଓ ସାମାଜିକ କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।
ସ୍ୱାଧୀନତା ଦିବସ ପୂର୍ବରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶପ୍ରେମ, ସାମାଜିକ ଦାୟିତ୍ୱ ଓ ଗଣମାଧ୍ୟମର ଭୂମିକା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବଲାଙ୍ଗୀରର ସାମ୍ବାଦିକ ଓ ଗଣମାଧ୍ୟମ ମହଲରେ ସରତ ମହାକୁରଙ୍କୁ ମିଳିଥିବା ଏହି ସମ୍ମାନକୁ ନେଇ ଖୁସି ପ୍ରକାଶ ପାଇଛି। ମହାକୁର ଜଣେ ମିଷ୍ଟଭାଷୀ, ପରୋପକାରୀ, ସୁଗୁଣସମ୍ପନ୍ନ ଓ ମାନବିକତାସମ୍ପନ୍ନ ସାମ୍ବାଦିକ ଭାବେ ବେଶ୍ ପରିଚିତ। ସାମ୍ବାଦିକ ସମାଜର ସମସ୍ୟା ଓ ସୁଖଦୁଃଖରେ ସେ ସର୍ବଦା ଠିଆ ହୋଇ ଆସିଛନ୍ତି। କେବଳ ବଲାଙ୍ଗିର ଜିଲ୍ଲାର ସାମ୍ବାଦିକ ନୁହେଁ, ରାଜ୍ୟର ଅନ୍ୟ ଜିଲ୍ଲାର ସାମ୍ବାଦିକ ମାନେ ମଧ୍ୟ ଯେକୌଣସି ସମସ୍ୟାରେ ପଡ଼ିଲେ ନିଜସ୍ୱ ଉଦ୍ୟମରେ ଯଥାସାଧ୍ୟ ସହଯୋଗର ହାତ ବଢ଼ାଇ ଆସିଛନ୍ତି।
ସାମ୍ବାଦିକଙ୍କ ଅଧିକାର, ସମ୍ମାନ ଓ ସ୍ୱାର୍ଥର ସୁରକ୍ଷା ସହିତ ସମାଜ ପ୍ରତି ନିଜର ଦାୟିତ୍ୱବୋଧକୁ ମଧ୍ୟ ସେ ଗୁରୁତ୍ୱ ଦେଇ ଆସୁଛନ୍ତି। ତାଙ୍କର ସରଳ ବ୍ୟବହାର, ସହଯୋଗୀ ମନୋଭାବ ଓ ମାନବିକ ଚିନ୍ତାଧାରା ତାଙ୍କୁ ସହକର୍ମୀ ମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।
ଭୁବନେଶ୍ୱରରେ ଆୟୋଜିତ ସମ୍ମାନ ସମାରୋହରେ ‘ସମୟ ଲାଇଭ୍’ ପକ୍ଷରୁ ଶ୍ରୀ ମହାକୁରଙ୍କୁ ସମ୍ବର୍ଦ୍ଧିତ କରାଯିବା ପରେ ବଲାଙ୍ଗିର ଜିଲ୍ଲା ଏସ୍ୟୁଜେ ଶାଖାର ସଦସ୍ୟମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏହି ସମ୍ମାନ ତାଙ୍କର ନିଷ୍ଠାପର ସାମ୍ବାଦିକତା ଓ ସମାଜ ପ୍ରତି ତାଙ୍କର ଅବଦାନର ଏକ ସ୍ୱୀକୃତି ବୋଲି ମତପ୍ରକାଶ କରି ବଲାଙ୍ଗିର ଏସ୍ୟୁଜେ ଜିଲ୍ଲା ଶାଖା ପକ୍ଷରୁ ଶରତ ମହାକୁରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ