
ଭୁବନେଶ୍ୱର, ୧୩ ଅଗଷ୍ଟ (ହି.ସ)- ବିଶ୍ୱ ଅଙ୍ଗଦାନ ଦିବସ' ଅବସରରେ ଗୁରୁବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ଅଙ୍ଗଦାନ କରି ଅନ୍ୟମାନଙ୍କର ଜୀବନ ବଂଚାଇଥିବା ଅଙ୍ଗଦାତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କର ପରିବାର ସଦସ୍ୟଙ୍କୁ ସୂରଜ ସମ୍ମାନ'ରେ ସମ୍ମାନିତ କରିଛି।
ଗୋଟିଏ କିମ୍ବା ତତୋଧିକ ଅଙ୍ଗ ଦାନ କରିଥିବା ବିଭିନ୍ନ ଜିଲ୍ଲାର ମୋଟ ୨୪ ଜଣ ଅଙ୍ଗଦାତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯାଇଛି। ୨୦୨୫ରେ ୧୦ ଜଣ ଅଙ୍ଗଦାନ କରିଥିବା ବେଳେ ଏହି ବର୍ଷ ଏହା ବୃଦ୍ଧି ପାଇ ୨୪ରେ ପହଂଚିଛି। ଅର୍ଥାତ୍ ଅଙ୍ଗଦାନ କରିବାରେ ରାଜ୍ୟବାସୀଙ୍କ ଏହି ଉତ୍ସାହ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହି ସମ୍ମାନ ଅଙ୍ଗଦାନ କରିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଅଙ୍ଗଦାନ କେବଳ ଏକ ନିଷ୍ପତି ନୁହେଁ, ଏହା ଅନ୍ୟ ଜଣଙ୍କ ଆଖିରେ ନୂଆ ସ୍ୱପ୍ନ ଓ ଜୀବନ ଦେବାର ଏକ ସ୍ୱର୍ଣ୍ଣିମ ସୁଯୋଗ। ଆମର ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଦାନ' ହେଉଛି ସବୁଠାରୁ ମହାନ୍ ପରିଚୟ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମନ୍ କୀ ବାତ୍' କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଅଙ୍ଗଦାନ ପ୍ରତି ସାରା ଦେଶରେ ଏକ ଜନଆନ୍ଦୋଳନ ସୃଷ୍ଟି ହୋଇପାରିଛି। ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତି ନିଜର ବୃକକ୍, ଜକୃତ, ଫୁସଫୁସ, ହୃତପିଣ୍ଡ, ଅଗ୍ନ୍ୟାଶୟ ଓ ଅନ୍ତନଳୀ ଦାନ କରି ୮ ଜଣଙ୍କ ଜୀବନ ବଂଚାଇ ପାରିବେ।
ଆଜି ଅଙ୍ଗଦାନ କ୍ଷେତ୍ରରେ ଭାରତ ସାରା ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ଆସନ୍ତୁ, ଏହି ମହାନ ବାର୍ତାକୁ ତୃଣମୂଳ ସ୍ତରକୁ ନେବା ସହ ଅଙ୍ଗଦାନ କ୍ଷେତ୍ରରେ ଭାରତକୁ ବିଶ୍ୱରେ ପ୍ରଥମ ସ୍ଥାନରେ ପହଂଚାଇବା ପାଇଁ ସଙ୍କଳ୍ପ ନେବା।
ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ସଚିବ, ନ୍ୟାସନାଲ ଅର୍ଗାନ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନର ନିର୍ଦ୍ଦେଶକଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
--------
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା