
ଜୟପୁର, ୧୩ ଅଗଷ୍ଟ (ହି.ସ.)- ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବପୁରାତନ ତଥା ଦୀର୍ଘଦିନ ଧରି ସାରସ୍ୱତ ସାଧକମାନଙ୍କର ପେଣ୍ଠସ୍ଥଳୀ ଭାବେ ପରିଚିତ ଜୟପୁର ସାହିତ୍ୟ ପରିଷଦ ର ନୂତନ ସ୍ଥାୟୀ ସମିତି ବ୍ୟାଙ୍କ କଲୋନୀସ୍ଥିତ କମ୍ୟୁନିଟି ହଲ୍ ଠାରେ ଏକ ସୌହାର୍ଦ୍ଧପୂର୍ଣ୍ଣ ଓ ଗଣତାନ୍ତ୍ରିକ ପରିବେଶରେ ଗଠିତ ହୋଇଛି।
ନିର୍ବାଚନ ଅଧିକାରୀ ନରସିଂହ ପାଣିଗ୍ରାହୀ ଓ ତେଜେଶ୍ୱର ପଣ୍ଡା ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିଥିବା ବେଳେ ବରିଷ୍ଠ ସାହିତ୍ୟିକ ନଳିନୀ ରଞ୍ଜନ ମିଶ୍ର ନିର୍ବାଚନ ଫଳାଫଳ ଘୋଷଣା କରିଥିଲେ।
ନୂତନ କାର୍ଯ୍ୟକାରିଣୀ ସମିତିର ସଭାପତି ଭାବେ ଶ୍ରୀନାଥ ମିଶ୍ର, ଉପସଭାପତି ଭାବେ ତେଜେଶ୍ୱର ପଣ୍ଡା, ସମ୍ପାଦକ ଭାବେ ନବକୃଷ୍ଣ ରଥ, ସହ-ସମ୍ପାଦକ ଭାବେ କୃଷ୍ଣଚନ୍ଦ୍ର ହୋତା ଓ ରାଜେନ୍ଦ୍ର ଗୌଡ଼ ଏବଂ କୋଷାଧ୍ୟକ୍ଷ ଭାବେ ପ୍ରଦୀପ ସାହୁ ମନୋନୀତ ହୋଇଛନ୍ତି।
କାର୍ଯ୍ୟକାରିଣୀ ସଦସ୍ୟ ଭାବେ କୃଷ୍ଣଚନ୍ଦ୍ର ନିଶଙ୍କ, ମଧୁସୂଦନ ମିଶ୍ର, ଉମେଶ ସାମନ୍ତରାୟ, ପ୍ରମୋଦ କୁମାର ରାଉଳ, ପରେଶ ରଥ, ସୁଧାଂଶୁ ଶେଖର ପଟ୍ଟନାୟକ, ଅବିନାଶ ସାନ୍ତ୍ରା ପାତ୍ର, ରାମ ପ୍ରସାଦ ପଣ୍ଡା, ଗଙ୍ଗାଧର ନାୟକ, ଶ୍ରୀମତୀ ଜାନକୀ ପାଣିଗ୍ରାହୀ ଓ ଶ୍ରୀମତୀ ସନ୍ଧ୍ୟାରାଣୀ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି।
ସେହିପରି ଉପଦେଷ୍ଟା ମଣ୍ଡଳୀରେ ବରିଷ୍ଠ ସାହିତ୍ୟିକ ନଳିନୀ ରଞ୍ଜନ ମିଶ୍ର, ନରସିଂହ ପାଣିଗ୍ରାହୀ ଓ ଲକ୍ଷ୍ମୀକାନ୍ତ ପାଢ଼ୀଙ୍କୁ ସାମିଲ କରାଯାଇଛି।
ବୈଠକରେ ନିରଞ୍ଜନ ପାଣିଗ୍ରାହୀ, ଶ୍ରୀମତୀ ବିଜୟା ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ହୋତା, ସୁଧାଂଶୁ ଶେଖର ପଟ୍ଟନାୟକଙ୍କ ସମେତ ଅନ୍ୟ ସଦସ୍ୟମାନେ ଜୟପୁର ସାହିତ୍ୟ ସମାଜର ଗୌରବମୟ ଐତିହ୍ୟ, ଅବିଭକ୍ତ କୋରାପୁଟ ଜିଲ୍ଲାର ସାହିତ୍ୟିକ ଓ ସାଂସ୍କୃତିକ ଜୀବନରେ ଏହି ଅନୁଷ୍ଠାନର ଦଶନ୍ଧି ଦଶନ୍ଧିର ଅବଦାନ ଏବଂ ଏହାକୁ ସାରସ୍ୱତ ସାଧକମାନଙ୍କର ଏକ ପ୍ରମୁଖ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳିବାରେ ପୂର୍ବସୂରୀମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।
ନୂତନ କାର୍ଯ୍ୟକାରିଣୀ ସମାଜକୁ ଆହୁରି କ୍ରିୟାଶୀଳ, ବ୍ୟାପକ ଓ ସମୟୋପଯୋଗୀ କରିବା ସହ ନୂତନ ପିଢ଼ିର ଲେଖକ, କବି ଓ ପାଠକ ସୃଷ୍ଟି, ନିୟମିତ ସାହିତ୍ୟିକ କାର୍ଯ୍ୟକ୍ରମ, ଆଲୋଚନାଚକ୍ର ଓ ସାରସ୍ୱତ ପରିବେଶକୁ ଅଧିକ ସମୃଦ୍ଧ କରିବା ଦିଗରେ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିଛି।
ସଭାପତି ଶ୍ରୀନାଥ ମିଶ୍ର ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଜୟପୁର ସାହିତ୍ୟ ସମାଜର ଗୌରବମୟ ପରମ୍ପରାକୁ ଅକ୍ଷୁଣ୍ଣ ରଖି ଏକ ସୁସ୍ଥ, ନିରପେକ୍ଷ ଓ ସୃଜନଶୀଳ ସାହିତ୍ୟିକ ପରିବେଶ ଗଢ଼ି ତୋଳିବା ଆଜିର ମୁଖ୍ୟ ଆବଶ୍ୟକତା। ବ୍ୟକ୍ତିଗତ ସ୍ୱାର୍ଥ, ମତଭେଦ ଓ ସଂକୀର୍ଣ୍ଣତାକୁ ଭୁଲି ଏକ ବୃହତ୍ତର ସାରସ୍ୱତ ଉଦ୍ଦେଶ୍ୟ ପାଇଁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।
ଶେଷରେ ନବନିର୍ବାଚିତ ସମ୍ପାଦକ ନବକୃଷ୍ଣ ରଥ ଉପସ୍ଥିତ ସମସ୍ତ ସାହିତ୍ୟିକ, ସଦସ୍ୟ ଓ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଜୟପୁର ସାହିତ୍ୟ ପରିଷଦର ଏହି ନୂତନ ଅଧ୍ୟାୟ ଅବିଭକ୍ତ କୋରାପୁଟର ସାରସ୍ୱତ ପରମ୍ପରାକୁ ଆହୁରି ସମୃଦ୍ଧ, ସଜୀବ ଓ ଗତିଶୀଳ କରିବ ବୋଲି ସାହିତ୍ୟପ୍ରେମୀ ମହଲରେ ଆଶା ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ପିକେପି