
ଝାରସୁଗୁଡ଼ା, ୧୪ ଅଗଷ୍ଟ (ହି.ସ.) - ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ପତ୍ରାପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ବସ୍ ସମସ୍ୟା ଯୋଗୁଁ ଗତ ୪/୫ ଦିନ ଧରି ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ ହୋଇଛି। ଯାତାୟାତରେ ସମସ୍ୟା ଯୋଗୁଁ ସେମାନଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହେଉଥିବା ଅଭିଭାବକମାନେ କହିଛନ୍ତି।
ଗ୍ରାମାଂଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ସିବିଏସ୍ଇ ପାଠ୍ୟକ୍ରମରେ ଉନ୍ନତମାନର ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ବ୍ଲକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଇଛି। ନବୋଦୟ ବିଦ୍ୟାଳୟ ଢାଂଚାରେ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ସୁବିଧା ସହ ଉନ୍ନତ ପରିବେଶରେ ଶିକ୍ଷାଦାନ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ତେବେ ପତ୍ରାପାଲି ଆଦର୍ଶ ବିଦ୍ୟାଳୟର ହଷ୍ଟେଲ ଏଯାବତ୍ କାର୍ଯ୍ୟକ୍ଷମ ହୋଇନଥିବାରୁ ଛାତ୍ରଛାତ୍ରୀ ଦୂରଦୂରାନ୍ତରୁ ଯାତାୟାତ କରୁଛନ୍ତି।
ସୂଚନା ଅନୁଯାୟୀ, ପୋଖରାସାହ୍ଲେ, ଝିର୍ଲାପାଲି, କୋଲାବିରା, କୁଲିହାମାଲ, ସମାସିଂହା ଓ ସୋଡ଼ାମାଳ ଆଦି ପଂଚାୟତ ଅଂଚଳକୁ ଚାଲୁଥିବା ‘ମୋ ବସ୍’ ଖରାପ ହୋଇଯାଇଥିବାରୁ ଗତ ୪/୫ ଦିନ ଧରି ଛାତ୍ରଛାତ୍ରୀଙ୍କ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଦ୍ୟାଳୟ ଅପରାହ୍ନ ୪ଟାରେ ଛୁଟି ହେବା ପରେ ଛାତ୍ରଛାତ୍ରୀମାନେ ସ୍କୁଲ ସମ୍ମୁଖରେ ୩ରୁ ୪ ଘଂଟା ପର୍ଯ୍ୟନ୍ତ ଘରୋଇ ଯାତ୍ରୀବାହୀ ବସ୍କୁ ଅପେକ୍ଷା କରୁଥିବା ଅଭିଯୋଗ ହୋଇଛି। ଫଳରେ ଅନେକ ଛାତ୍ରଛାତ୍ରୀ ସନ୍ଧ୍ୟା ୭ରୁ ୮ଟା ମଧ୍ୟରେ ଘରେ ପହଂଚୁଛନ୍ତି।
ସେହିପରି ବିଦ୍ୟାଳୟ ସକାଳ ୧୦ଟାରେ ଆରମ୍ଭ ହେଉଥିଲେ ମଧ୍ୟ ଦୂର ଅଂଚଳର ଛାତ୍ରଛାତ୍ରୀଙ୍କୁ ସକାଳ ପ୍ରାୟ ୭ଟାରୁ ଘରୁ ବାହାରିବାକୁ ପଡ଼ୁଛି। ଯାତାୟାତରେ ଦୀର୍ଘ ସମୟ ନଷ୍ଟ ହେବା ସହ ଥକାପଣ ଯୋଗୁଁ ପାଠପଢ଼ାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଛି।
ଉତମ ଶିକ୍ଷାର ଆଶାରେ ନିଜ ଗାଁ ନିକଟସ୍ଥ ବିଦ୍ୟାଳୟ ଛାଡ଼ି ଆଦର୍ଶ ବିଦ୍ୟାଳୟରେ ପିଲାଙ୍କୁ ନାମ ଲେଖାଇଥିବା ଅଭିଭାବକମାନେ ଏବେ ଚିନ୍ତା ପ୍ରକଟ କରିଛନ୍ତି। ଆଦର୍ଶ ବିଦ୍ୟାଳୟର ମୂଳ ଲକ୍ଷ୍ୟ ଯେପରି ଯାତାୟାତ ସମସ୍ୟା ଯୋଗୁଁ ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।
ହଷ୍ଟେଲ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ବିଦ୍ୟାଳୟ ପାଇଁ ନିୟମିତ ସ୍କୁଲ ବସ୍ ବ୍ୟବସ୍ଥା କରାଯାଇ ଛାତ୍ରଛାତ୍ରୀଙ୍କ ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଅଭିଭାବକ ମହଲରେ ଦାବି ଜୋର ଧରିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ