
• ବିଏମ୍ ସିରେ ମିଶିବ ଅନେକ ପଞ୍ଚାୟତ
ଭୁବନେଶ୍ୱର, 14 ଅଗଷ୍ଟ (ହି.ସ.)- ଭୁବନେଶ୍ୱରରେ ଜଳବନ୍ଦୀ ସମସ୍ୟାର ହେବ ସମାଧାନ । ଚୁକ୍ତି ଅନୁଯାୟୀ ଆଇଆଇଟି ରୁର୍କି ପ୍ରସ୍ତୁତ କରିଛି ଡ୍ରାଫ୍ଟ ମାଷ୍ଟର ପ୍ଲାନ । ଆଗାମୀ 50 ବର୍ଷକୁ ଦୃଷ୍ଟିରେ ରଖି ଏହି ଡ୍ରାଫ୍ଟ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ଡ୍ରାଫ୍ଟ ମାଷ୍ଟର ପ୍ଲାନ ଆଜି ବିଏମ୍ ସିର 43 ତମ ସାଧାରଣ ପରିଷଦ ବୈଠକରେ ଆଗତ ହୋଇଛି । ଆଗାମୀ ଦିନରେ ଅନେକ ପଞ୍ଚାୟତ ବିଏମ୍ ସିରେ ମିଶିବାକୁ ଯାଉଛି । ଏହା ବ୍ୟତୀତ ପରିମଳ କାର୍ଯ୍ୟ ସଂପର୍କରେ ଆଲୋଚନା ହୋଇଛି । ବର୍ଜ୍ୟରୁ ଶକ୍ତି ଉତ୍ପାଦନ କାର୍ଯ୍ୟ ଦୃତ ଗତିରେ ଚାଲିଛି । ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ । ସେହିପରି ଭୁବନେଶ୍ୱରରେ ଥିବା ବିଭିନ୍ନ ପୋଖରୀ ମାଛ ଚାଷ ପାଇଁ ନିଲାମ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଏହା ବ୍ୟତୀତ ଅଗଷ୍ଟ 31 ତାରିଖ ଦିନ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଦିବସ ପାଳିତ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି ମେୟର ଶ୍ରୀମତୀ ସୁଲୋଚନା ଦାସ ।
ଭୁବନେଶ୍ୱର ମହାନନଗର ନିଗମ (ବିଏମ୍ ସି) ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ମେୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ପରିଷଦ ବୈଠକରେ ଡେପୁଟୀ ମେୟର ଶ୍ରୀମତୀ ମଂଜୁଲତା କହଁର, କମିଶନର ଶ୍ରୀ ଚଞ୍ଚଳ ରାଣା, ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଶ୍ରୀମତୀ ସସ୍ମିତା ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ, ମୁଖ୍ୟ ବିତ୍ତ ଅଧିକାରୀ ଶ୍ରୀ ଦିପକ ରଂଜନ ବେହେରା, ସିଟି ଇଂଜିନିୟର ଶ୍ରୀ ପ୍ରଫୁଲ୍ଲ କୁମାର ରଇତ ପ୍ରମୁଖ ମଂଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷା, ଅଧ୍ୟକ୍ଷ, କର୍ପୋରେଟର, ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ ।
ଆଜି ବିଏମ୍ ସିର ସାଧାରଣ ପରିଷଦ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗତ କରାଯାଇଛି । ସେଗୁଡିକ ମଧ୍ୟରେ ଭୁବନେଶ୍ୱରରେ ବର୍ଷା ଋତୁରେ ଉପୁଜୁଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ 18 ଫେବୃଆରୀ 2025ରେ ଆଇଆଇଟି ସହିତ ବିଏମ୍ ସି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ଚୁକ୍ତି ସ୍ୱାକ୍ଷରିତ କରିଥିଲା । ଚୁକ୍ତି ଅନୁଯାୟୀ ଆଇଆଇଟି ରୁର୍କି ଡ୍ରାଫ୍ଟ ମାଷ୍ଟର ପ୍ଲାନ ଉପସ୍ଥାପନ କରିଛି । ଏହି ମାଷ୍ଟର ପ୍ଲାନ ଅନୁସାରେ କେଉଁ ଡ୍ରେନ କେଉଁଆଡକୁ ସଂଯୋଗ କରିବ ଏବଂ ଜଳବନ୍ଦୀ ସମସ୍ୟା ଯେପରି ସହରର କୌଣସିସ୍ଥାନରେ ରହିବ ନାହିଁ, ସେ ସଂପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ବର୍ଦ୍ଧିତ ଜନ ସଂଖ୍ୟାକୁ ଦୃଷ୍ଟିରେ ରଖି ଆଗାମୀ 50 ବର୍ଷ ପାଇଁ ଏହି ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ତେବେ ଫାଇନାଲ ପ୍ଲାନ ଖୁବ୍ ଶୀଘ୍ର ସେମାନେ ପ୍ରଦାନ କରିବେ । ତା ପରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ମେୟର ଶ୍ରୀମତୀ ଦାସ ।
ଭୁବନେଶ୍ୱର ମହାନଗର ନିଗମ ଚତୁଃପାର୍ଶ୍ୱରେ ଅନେକ ପଞ୍ଚାୟତ ରହିଛି । ମାତ୍ର ସେମାନେ ସହର ପାଖରେ ରହିଥିଲେ ମଧ୍ୟ ଅନେକ ସହରୀ ସୁବିଧା ପାଉ ନାହାଁନ୍ତି । ଫଳରେ ସେଗୁଡିକୁ ବିଏମ୍ ସି ସହ ମିଶ୍ରଣ କରାଯିବା ପ୍ରସ୍ତାବ ମଧ୍ୟ ଗୃହରେ ଆଲୋଚନା ହୋଇଛି । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । ପରିମଳ ସଂପର୍କରେ ମଧ୍ୟ ଗୃହରେ ଆଲୋଚନା କରାଯାଇଥିଲା । ଓଦା ବର୍ଜ୍ୟରୁ ଖୁବ୍ ଶୀଘ୍ର ବାୟୋ ଗ୍ୟାସ୍ ଉତ୍ପାଦନ କରାଯିବ । ମେହରପଲ୍ଲିଠାରେ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଚାଲିଛି । ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ।
ଭୁବନେଶ୍ୱରରେ ଥିବା ବିଭିନ୍ନ ପୋଖରୀକୁ ମାଛ ଚାଷ ପାଇଁ ନିଲାମ ଦିଆଯିବ । ନିଲାମଧାରୀମାନେ ପୋଖରୀରେ ମାଛ ଚାଷ କରିବା ସହ ପୋଖରୀ ଓ ଏହାର ଚାରିପାଖ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବେ । ତିନି ବର୍ଷ ପାଇଁ ଏହି ନିଲାମ ଦିଆଯିବାକୁ ଗୃହରେ ଆଲୋଚନା ହୋଇଛି । ନିଲାମ ସମୟରେ ସ୍ଥାନୀୟ ଗ୍ରାମ, ସାହି, କ୍ଲବ ବା ସଂଗଠନକୁ ପ୍ରାଥମିକତା ଦିଆଯିବ ।
ସେହିପରି ଅଗଷ୍ଟ 31 ତାରିଖ ଦିନ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯିବ । ପ୍ରତିବର୍ଷ ପରି ଚଳିତ ବର୍ଷ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହା ବ୍ୟତୀତ କର୍ପୋରେଟର, ଅଫିସର, କର୍ମଚାରୀଙ୍କ ମଧ୍ୟରେ ମଧ୍ୟ ବିଭିନ୍ନ ଖେଳକୁଦ ଅନୁଷ୍ଠିତ ହେବ । ବିଏମ୍ ସି ଓ ସିଏମ୍ ସି ମଧ୍ୟ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଟ୍ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ମେୟର ।
ଏହା ବ୍ୟତୀତ ବିଭିନ୍ନ ଓ୍ୱାର୍ଡରେ ଥିବା ସମସ୍ୟାର ସମାଧାନ, ପ୍ରଶ୍ନୋତ୍ତର ଏବଂ କର୍ପୋରେଟର ଓ ବିଏମ୍ ସିର ବିଭିନ୍ନ ଉପବିଭାଗରୁ ଆସିଥିବା ପ୍ରସ୍ତାବଗୁଡିକ ସଂପର୍କରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି । କମିଶନର ଶ୍ରୀ ଚଞ୍ଚଳ ରାଣା କର୍ପୋରେଟରମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିବା ବେଳେ ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ ଏହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା