
ବଲାଙ୍ଗିର ୧୪ ଅଗଷ୍ଟ (ହି.ସ.) - ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ଦୃଷ୍ଟିରେ ରଖି ବିଜୁ ଛାତ୍ର ଜନତା ଦଳ ବଲାଙ୍ଗିର ପକ୍ଷରୁ ଏକ ପ୍ରେସ୍ମିଟ୍ ଆୟୋଜିତ ହୋଇଥିଲା । ଏଥିରେ ବଲାଙ୍ଗିର ସଭାପତି ସୁମନ କୁମାର ନନ୍ଦ ବଲାଙ୍ଗିରର ଉଚ୍ଚଶିକ୍ଷା, ଭିତିଭୂମି ଓ ଐତିହ୍ୟର ବିକାଶ ସମ୍ପର୍କରେ ସରକାରଙ୍କ ନିକଟରେ ୧୧ ଦଫା ଦାବି ଉପସ୍ଥାପନ କରିଥିଲେ । ପ୍ରେସ୍ମିଟ୍ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମେତ ବଲାଙ୍ଗିରର ସମସ୍ତ ସରକାରୀ ମହାବିଦ୍ୟାଳୟରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଅଭାବ ଦୂର କରିବା ସହ ଆବଶ୍ୟକ ସଂଖ୍ୟକ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ଦାବି କରାଯାଇଥିଲା । ଏଥିସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ୫୦ ଏକର ଜମି ଆବଂଟନ, ବିଶ୍ୱବିଦ୍ୟାଳୟ ପରିସରରେ ଖୋଲାମଂଚ ଅଡିଟୋରିୟମ୍ ନିର୍ମାଣ ଏବଂ ଗବେଷଣା ଓ ସୌନ୍ଦର୍ଯ୍ୟକରଣ ପାଇଁ ପର୍ଯ୍ୟାପ୍ତ ଆର୍ôଥକ ଅନୁଦାନ ପ୍ରଦାନ ପାଇଁ ଦାବି ରଖାଯାଇଥିଲା । ବଲାଙ୍ଗିର କଲେଜର ଭିତିଭୂମି ବିକାଶ ପାଇଁ ପର୍ଯ୍ୟାପ୍ତ ଅର୍ଥ ଆବଂଟନ ଏବଂ ସରକାରୀ ମହିଳା ମହାବିଦ୍ୟାଳୟରେ କେନ୍ଦ୍ରୀୟ ପାଠାଗାର ଓ ଅଡିଟୋରିୟମ୍ ନିର୍ମାଣ ସହ ବାଣିଜ୍ୟ ବିଭାଗ ଆରମ୍ଭ କରିବାକୁ ମଧ୍ୟ ଦାବି ହୋଇଥିଲା । ଏହା ସହିତ ବଲାଙ୍ଗିରର ସ୍ଥାନୀୟ କଳାକାର, ଲୋକକଳା ପରିବେଷକ, ନାଟ୍ୟଦଳ ଓ ସାଂସ୍କୃତିକ ସଂଗଠନଗୁଡ଼ିକୁ ଆର୍ôଥକ ସହାୟତା ଓ ନିୟମିତ ଅନୁଦାନ ପ୍ରଦାନ, ଐତିହାସିକ ସ୍ମାରକ ଓ ଐତିହ୍ୟସ୍ଥଳୀଗୁଡ଼ିକର ବିକାଶ ଓ ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀ ଧରମ ସିଂ ମାଝୀ ମାନ୍ଧାତାଙ୍କ ସ୍ମୃତିରେ ପ୍ରତିମୂର୍ତି ନିର୍ମାଣ ପାଇଁ ମଧ୍ୟ ଦାବି ଉପସ୍ଥାପିତ ହୋଇଥିଲା । ସୁମନ କୁମାର ନନ୍ଦ କହିଥିଲେ ଯେ, ବଲାଙ୍ଗିରର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ସୁଯୋଗ ବୃଦ୍ଧି, ଶିକ୍ଷାନୁଷ୍ଠାନର ଭିତିଭୂମି ସୁଦୃଢ଼ କରିବା ଏବଂ ଜିଲ୍ଲାର କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପାଇଁ ଏହି ଦାବିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ। ଉଚ୍ଚଶିକ୍ଷା ମନ୍ତ୍ରୀ ବଲାଙ୍ଗିର ଗସ୍ତ ସମୟରେ ଏହି ଦାବିଗୁଡ଼ିକ ଉପରେ ଗୁରୁତ୍ୱର ସହ ବିଚାର କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ଏହି ପ୍ରେସମିଟ୍ରେ ଛାତ୍ର ନେତା ଚିରଞ୍ଜିବୀ ପ୍ରଧାନ, ମନୀଷ ସାଏ, ଆଦର୍ଶ ପୁରୋହିତ, ପ୍ରତ୍ୟୁଷ ପାଲଟା, ବାବଳୁ ଓ ଶୁଭ୍ରାଂଶୁ ବେହେରାଙ୍କ ସମେତ ଅନ୍ୟ ଛାତ୍ର ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ