
ଜୟପୁର, ୧୪ ଅଗଷ୍ଟ (ହି.ସ.)- ଶବ ଖୋଜୁଛି ରାସ୍ତା। ଜୀବିତ ଥିବା ବେଳେ ଯେଉଁ ରାସ୍ତା ପାଇଁ ଲଢ଼େଇ, ମୃତ୍ୟୁ ପରେ ବି ସେହି ରାସ୍ତା ହିଁ ହେଉଛି ସବୁଠୁ ବଡ଼ ସମସ୍ୟା । ଦୀର୍ଘ ବର୍ଷ ଧରି ରାସ୍ତା ନିର୍ମାଣ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ଏଯାଏଁ ସମାଧାନ ହୋଇନି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବେଣାସୁର ପଞ୍ଚାୟତ ଅନ୍ତର୍ଗତ ଢୁଟିଗୁଡ଼ା ଗାଁରେ ପ୍ରାୟ ୫୦୦ ପରିବାର ବସବାସ କରୁଥିବା ବେଳେ ଲୋକସଂଖ୍ୟା ୨୫୦୦ରୁ ଅଧିକ । ଏତେ ବଡ଼ ଗାଁ ହୋଇଥିଲେ ମଧ୍ୟ ଗାଁକୁ ଯିବାଆସିବା ପାଇଁ ଏକ ସୁବିଧାଜନକ ରାସ୍ତା ନଥିବା ଅଭିଯୋଗ ହୋଇଛି । ସବୁଠୁ ଦୁଃଖଦ ଚିତ୍ର ସାମ୍ନାକୁ ଆସୁଛି ଗାଁରେ କାହାର ମୃତ୍ୟୁ ହେଲେ । ଶବକୁ ଶ୍ମଶାନକୁ ନେବା ପାଇଁ ଗାଁ ଲୋକଙ୍କୁ ବିଲ ହିଡ଼ ଦେଇ, କାଦୁଅ ରାସ୍ତାରେ ଅତ୍ୟନ୍ତ କଷ୍ଟରେ ଯିବାକୁ ପଡୁଛି । ବର୍ଷା ଦିନେ ସ୍ଥିତି ଆହୁରି ଦୟନୀୟ ହୋଇପଡୁଛି । ଶବକୁ ମୁଣ୍ଡରେ ଓ କାନ୍ଧରେ ବୋହି କାଦୁଅ ଭିତରେ ନେବାକୁ ପଡୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର କ୍ଷୋଭ ପ୍ରକାଶ ପାଇଛି ।ଗ୍ରାମବାସୀଙ୍କ କହିବା କଥା, ବର୍ଷ ପରେ ବର୍ଷ ଗଡ଼ିଯାଉଛି, ନେତା ବଦଳୁଛନ୍ତି, ସରକାର ବଦଳୁଛି । କିନ୍ତୁ ଢୁଟିଗୁଡ଼ାର ରାସ୍ତା ସମସ୍ୟାର ସମାଧାନ ହେଉନାହିଁ । ରାସ୍ତା ପାଇଁ ବାରମ୍ବାର ଦାବି ଓ ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ ପ୍ରଶାସନିକ ପଦକ୍ଷେପ ଦେଖିବାକୁ ମିଳିନଥିବା ଅଭିଯୋଗ କରିଛନ୍ତି ଲୋକେ । ଏବେ ଗ୍ରାମବାସୀଙ୍କ ଚେତାବନୀ— ରାସ୍ତା ନିର୍ମାଣ ନହେଲେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରାଯିବ । ଭୋଟ ପୂର୍ବରୁ ରାସ୍ତା, ନହେଲେ ଭୋଟ ବର୍ଜନ । ଗ୍ରାମବାସୀଙ୍କ ଏହି ଚେତାବନୀ ପରେ ପ୍ରଶାସନ କେବେ ଏହି ଦୁର୍ଦ୍ଦଶା ଦୂର କରୁଛି, ତାହାକୁ ଅପେକ୍ଷା କରିଛନ୍ତି ଢୁଟିଗୁଡ଼ାବାସୀ । ଜୀବିତଙ୍କ ପାଇଁ ନୁହେଁ, ମୃତକଙ୍କ ଶେଷ ଯାତ୍ରା ପାଇଁ ବି ଯେଉଁଠି ରାସ୍ତା ନାହିଁ—ସେଠି ବିକାଶର ଚିତ୍ର କେତେ ସତ, ତାହା ହିଁ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି l
ହିନ୍ଦୁସ୍ଥାନ ସମାଚାର / ପିକେପି