
ଝାରସୁଗୁଡ଼ା, ୧୪ ଅଗଷ୍ଟ (ହି.ସ.)- ଜିଲ୍ଲାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୦୬-ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲଳିତ ସୋରେଙ୍ଗ ଏବଂ ୦୭-ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ଯୁଗ୍ମ ଭାବେ ଅଧ୍ୟକ୍ଷତା କରିଥିଲେ। ଏଥିସହ ଡେପୁଟି କଲେକ୍ଟର (ନିର୍ବାଚନ) ଲୋପାମୁଦ୍ରା କାଲୋ ଏବଂ ସହକାରୀ କଲେକ୍ଟର (ନିର୍ବାଚନ) ଦୁଷ୍ମନ୍ତ ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ବୈଠକରେ ବିଭିନ୍ନ ପ୍ରମୁଖ ରାଜନୈତିକ ଦଳର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ବିଜେପିର ଯୁଗ୍ମ ସମ୍ପାଦକ ନୱଲ କୁମାର ଅଗ୍ରୱାଲ, ବିଜେଡି ସାଧାରଣ ସମ୍ପାଦକ ରଘୁନନ୍ଦନ ପାଢ଼ୀ, ସିପିଆଇ(ଏମ୍) ସଭାପତି ଗୌରୀ ଶଙ୍କର ପାତ୍ର, ସିପିଆଇ(ଏମ୍) ଯୁଗ୍ମ ସମ୍ପାଦକ ବାସୁଦେବ ଧୁରୁଆ ଏବଂ ବିଏସପି ସଭାପତି ଲକ୍ଷ୍ମଣ ଉର୍ମା ପ୍ରମୁଖ ସାମିଲ ଥିଲେ। ଆଗାମୀ ନିର୍ବାଚନ ପ୍ରକ୍ରିୟାକୁ ତ୍ରୁଟିମୁକ୍ତ ଓ ସ୍ୱଚ୍ଛ କରିବା ପାଇଁ ରାଜନୈତିକ ଦଳଗୁଡ଼ିକର ଭୂମିକା ଉପରେ ଏହି ଅବସରରେ ଆଲୋଚନା କରାଯାଇଥିଲା। ବୈଠକ ଚାଲିଥିବା ସମୟରେ ଫର୍ମ ୯, ୧୦, ୧୧, ୧୧(ଏ) ଏବଂ ୧୧(ବି) ରେ ଗ୍ରହଣ କରାଯାଇଥିବା ସମସ୍ତ ଦାବି ଓ ଆପତ୍ତିର ବିସ୍ତୃତ ତାଲିକା ପରବର୍ତ୍ତୀ ଯାଞ୍ଚ ତଥା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଉପସ୍ଥିତ ଦଳୀୟ ପ୍ରତିନିଧିମାନଙ୍କୁ ହସ୍ତାନ୍ତର କରାଯାଇଥିଲା।
ଏଥିସହିତ ରାଜନୈତିକ ପ୍ରତିନିଧିମାନଙ୍କ ଦ୍ୱାରା ଉଠାଯାଇଥିବା ବିଭିନ୍ନ ପ୍ରଶ୍ନ ଓ ସନ୍ଦେହର ଉତ୍ତର ନିର୍ବାଚନ ପଞ୍ଜିକରଣ ଅଧିକାରୀମାନେ ପ୍ରଦାନ କରିଥିଲେ। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ତରଫରୁ ସମସ୍ତ ରାଜନୈତିକ ଦଳଙ୍କ ସହଯୋଗ କାମନା କରାଯାଇଅଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ