

ଝାରସୁଗୁଡ଼ା, ୧୪ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ପୁଲିସ ପ୍ରଶାସନ ପାଇଁ ଆଉ ଏକ ଗୌରବର ବିଷୟ ଭାବେ ପୁଲିସ ବିଭାଗରେ ଉତ୍କୃଷ୍ଟ କାର୍ଯ୍ୟ, କର୍ତ୍ତବ୍ୟନିଷ୍ଠା, ସାହସିକତା, ତଥା ନିଷ୍ଠାପର ସେବା ପାଇଁ ଝାରସୁଗୁଡ଼ାର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓପିଏସ ମଧୁସିକ୍ତା ମିଶ୍ର ଏବଂ ରେଙ୍ଗାଲି ଥାନା ଏସଆଇ ସମରେନ୍ଦ୍ର ନାୟକଙ୍କୁ ସମ୍ମାନନୀୟ ଡିଜିପି ଡିସ୍କ ଆୱାର୍ଡ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ପୁଲିସ ଭବନ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉଭୟ ଅଧିକାରୀଙ୍କୁ ଏହି ଗୌରବପୂର୍ଣ୍ଣ ସମ୍ମାନରେ ସମ୍ମାନିତ କରିଛନ୍ତି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓପିଏସ ମଧୁସିକ୍ତା ମିଶ୍ର ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ଅପରାଧ ରୋକିବା, ପୋକସୋ ମାମଲାରେ ସ୍ୱତନ୍ତ୍ର ଧ୍ୟାନ ଦେଇ ସଫଳ ତଦନ୍ତ କରିବା ଏବଂ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ଆୱାର୍ଡ ପାଇଛନ୍ତି।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ୨୦୨୪ ମସିହାରେ ମଧ୍ୟ ସେ ଡିଜିପି ଡିସ୍କ ଆୱାର୍ଡ ହାସଲ କରିଥିଲେ। ସେହିପରି ରେଙ୍ଗାଲି ଥାନା ଏସଆଇ ସମରେନ୍ଦ୍ର ନାୟକ ଏକ ସଂବେଦନଶୀଳ ପୋକସୋ ମାମଲାର ମାତ୍ର ୯୧ ଦିନ ମଧ୍ୟରେ ଉଦାହରଣପୂର୍ବକ ତଦନ୍ତ ସମ୍ପୂର୍ଣ୍ଣ କରି ଅଭିଯୁକ୍ତକୁ ଦଣ୍ଡବିଧାନ କରାଇବାରେ ସଫଳ ହୋଇଥିବାରୁ ତାଙ୍କୁ ସମ୍ମାନିତ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ