
ଢେଙ୍କାନାଳ/ଭୁବନେଶ୍ୱର,୧୪ ଅଗଷ୍ଟ (ହି.ସ) - ନିଜର ପଦ, ପଦବୀ ଓ ସଫଳତା ସତ୍ୱେ ଜନ୍ମମାଟିର ସଂସ୍କାରକୁ କେବେ ଭୁଲିବା ଉଚିତ୍ ନୁହେଁ । ନିଜ ଗାଁ ଏବଂ ଅଂଚଳର ନିରନ୍ତର ବିକାଶ ପାଇଁ ସଦାସର୍ବଦା ନିଜକୁ ଉତ୍ସର୍ଗ କରିବା ହିଁ ମାତୃଭୂମି ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶୁକ୍ରବାର ଢେଙ୍କାନାଳ ଜିଲ୍ଲା ଦାଣ୍ଡିମାଳ-ସାଇଁବିରିଠାରେ ନିର୍ମିତ ‘ବିମଳ ମିଶ୍ର ଗ୍ରାମ୍ୟ ପାଠାଗାର’ ଏବଂ ‘ବିମଳ ମିଶ୍ର ମାର୍ଗ’ର ଶୁଭ ଲୋକାର୍ପଣ ଅବସରରେ ସେ କହିଛନ୍ତି ଯେ, ସ୍ୱର୍ଗତ ବିମଳ ମିଶ୍ର ନିଜର ଉଚ୍ଚ ପଦ-ପଦବୀ ଓ ସଫଳତା ସତ୍ୱେ ଜନ୍ମମାଟିକୁ କେବେ ଭୁଲିନଥିଲେ। ଦାଣ୍ଡିମାଳ ଓ ସାଇଁବିରି ଅଂଚଳର ବିକାଶ ପାଇଁ ସେ ସଦାସର୍ବଦା ଚିନ୍ତା କରିବା ସହ ଅନେକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଥିଲେ । ତାଙ୍କ ଦାୟାଦମାନେ ତାଙ୍କର ଏହି ମହାନ ଦୂରଦୃଷ୍ଟିକୁ ଆଗକୁ ନେବା ସହ ସ୍ୱର୍ଗତ ମିଶ୍ରଙ୍କ ସ୍ମୃତିରେ ଏପରି ଜନକଲ୍ୟାଣକାରୀ ବ୍ୟବସ୍ଥା କରିଥିବାରୁ ଶ୍ରୀ ପ୍ରଧାନ ତାଙ୍କ ପରିବାରବର୍ଗଙ୍କୁ ସାଧୁବାଦ ଜଣାଇଛନ୍ତି।
ଉଦ୍?ଘାଟିତ ପାଠାଗାରରେ ସଂଗୃହିତ ଜ୍ଞାନବର୍ଦ୍ଧକ, ଧାର୍ମିକ, ସାହିତ୍ୟିକ, ବିଜ୍ଞାନ ଓ ପ୍ରତିଯୋଗିତାମୂଳକ ପୁସ୍ତକାବଳୀ କୋମଳମତି ଶିଶୁମାନଙ୍କ ସମେତ ପ୍ରତ୍ୟେକ ବର୍ଗ ଓ ବୟସର ଲୋକଙ୍କ ଆଧ୍ୟାତ୍ମିକ ତଥା ବୌଦ୍ଧିକ ବିକାଶରେ ସହାୟକ ହେବ । ସେହିପରି ‘ବିମଳ ମିଶ୍ର ମାର୍ଗ’ ଦ୍ୱାରା ଗ୍ରାମବାସୀ ସିଧାସଳଖ ଜାତୀୟ ରାଜପଥ ସହ ଯୋଡ଼ିହୋଇପାରିବେ, ଯାହା ଅଞ୍ଚଳର ଗମନାଗମନ, ବ୍ୟବସାୟ-ବାଣିଜ୍ୟ ଏବଂ ଚିକିତ୍ସା ସେବା କ୍ଷେତ୍ରରେ ଏକ ବଡ଼ କ୍ରାନ୍ତି ଆଣିଦେବ ।
ଶ୍ରୀ ପ୍ରଧାନ ଆହ୍ୱାନ ଦେଇ କହିଛନ୍ତି, ସ୍ୱାଧୀନତା ଦିବସର ଏହି ପବିତ୍ର ପୂର୍ବ ସନ୍ଧ୍ୟାରେ, ଆସନ୍ତୁ ସମସ୍ତେ ଏହି ମାଟିର ବିକାଶ ପାଇଁ ଏକ ନୂଆ ସଂକଳ୍ପ ନେବା। ସ୍ଥାନୀୟ ଯୁବପିଢ଼ିଙ୍କ ସ୍ୱପ୍ନ ଓ ଆଶାକୁ ପୂରଣ କରିବା ପାଇଁ ଏକ ସୁଚିନ୍ତିତ ବିକାଶ ଯୋଜନା ନେଇ ଆଗକୁ ବଢ଼ିବା । କାନ୍ଧରେ କାନ୍ଧ ମିଳାଇ ସାଇଁବିରି ସମେତ ସମ୍ପୂର୍ଣ୍ଣ ଢେଙ୍କାନାଳକୁ ଏକ ସମୃଦ୍ଧ, ସ୍ୱାଭିମାନୀ ଓ ସମ୍ପୂର୍ଣ୍ଣ ବିକଶିତ ଅଞ୍ଚଳ ଭାବେ ଗଢ଼ିତୋଳିବା।'
ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି, କାମାକ୍ଷାନଗର ବିଧାୟକ ଶ୍ରୀ ଶତ୍ରୁଘ୍ନ ଜେନା, ପରଜଙ୍ଗ ବିଧାୟକ ଶ୍ରୀ ବିଭୂତି ପ୍ରଧାନ ଏବଂ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି, ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା