
ଝାରସୁଗୁଡ଼ା, ୧୪ ଅଗଷ୍ଟ (ହି.ସ.)- ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ପ୍ରାଥମିକତା ଦେଇ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ରମାଗତ ଭାବେ ଖାଦ୍ୟ ନିରାପତ୍ତା ଓ ଯାଞ୍ଚ ଅଭିଯାନ ଜାରି ରହିଛି। ଏହି କ୍ରମରେ ଗତ ରାତିରେ ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ବେହେରାମାଲ ଛକରୁ ବି ଟି ଏମ୍ ବାଇପାସ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବ୍ୟାପକ ଚଢ଼ଉ କରିଛନ୍ତି। ଏହି ଯାଞ୍ଚ ସମୟରେ ହୋଟେଲ, ରେଷ୍ଟୋରାଣ୍ଟ, ଫାଷ୍ଟଫୁଡ୍ ଷ୍ଟଲ୍ ଓ ସ୍ନାକ୍ସ ସେଣ୍ଟର ସମେତ ମୋଟ ୧୮ଟି ଖାଦ୍ୟ ବିକ୍ରି ପ୍ରତିଷ୍ଠାନକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଇଥିଲା।
ଖାଦ୍ୟ ନିରାପତ୍ତା ଓ ମାନକ ଆଇନର ନିୟମ ବ୍ୟତିକ୍ରମ କରିଥିବା ଅଭିଯୋଗରେ ସମ୍ପୃକ୍ତ ପ୍ରତିଷ୍ଠାନଗୁଡ଼ିକ ଉପରୁ ମୋଟ ୬,୦୦୦ ଟଙ୍କାର ଜରିମାନା ଆଦାୟ କରାଯାଇଛି। ଏହା ସହିତ ବିକ୍ରି ପାଇଁ ରଖାଯାଇଥିବା ପ୍ରାୟ ୧୯.୫ କିଲୋଗ୍ରାମ୍ ଅସ୍ୱାସ୍ଥ୍ୟକର ଓ ବାସି ଖାଦ୍ୟକୁ ଜବତ କରାଯାଇ ତୁରନ୍ତ ନଷ୍ଟ କରାଯାଇଛି। ବିଭିନ୍ନ ପ୍ରତିଷ୍ଠାନରୁ ୭ଟି ପାଣି ନମୁନା, ୩ଟି ପନୀର ନମୁନା ଏବଂ ୪ଟି ପ୍ୟାକେଟ୍ ଖାଦ୍ୟ ନମୁନା ସଂଗ୍ରହ କରାଯାଇ ଅଧିକ ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯାଇଛି। ଖାଦ୍ୟ ନିରାପତ୍ତା ଆଇନର 'ସିଡ୍ୟୁଲ ୪' ନିୟମାନୁସାରେ ପରିଷ୍କାର-ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ୬ ଜଣ ଖାଦ୍ୟ ବ୍ୟବସାୟୀଙ୍କୁ ଇମ୍ପ୍ରୁଭମେଣ୍ଟ ନୋଟିସ ମଧ୍ୟ ଜାରି କରାଯାଇଛି। ଏହି ସ୍ୱତନ୍ତ୍ର ଚଢ଼ଉ ସମୟରେ ସହରର କିଛି ପ୍ରମୁଖ ଓ ବଡ଼ ହୋଟେଲ ଯଥା— ହୋଟେଲ ରୁଦ୍ରାକ୍ଷ ଇନ୍, ହୋଟେଲ ଆର୍ଯ୍ୟନ୍, ହୋଟେଲ ଦି ପାର୍କ ଇନ୍, ଅଶୋକ ହୋଟେଲ ଏବଂ ରୋୟାଲ ଉତ୍ତମ ରେଷ୍ଟୋରାଣ୍ଟ ସମେତ ଅନ୍ୟାନ୍ୟ ଫାଷ୍ଟଫୁଡ୍ ଓ ସ୍ନାକ୍ସ ସେଣ୍ଟରଗୁଡ଼ିକୁ ବିଶେଷ ସତର୍କତା ନୋଟିସ୍ ପ୍ରଦାନ କରାଯାଇଛି। ଖାଦ୍ୟ ପ୍ରସ୍ତୁତିରେ କୌଣସି ପ୍ରକାର କୃତ୍ରିମ ଖାଦ୍ୟ ରଙ୍ଗ ଏବଂ ଚାଇନା ସଲ୍ଟର ବ୍ୟବହାର ନକରିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନର ଏହି ଏନଫୋର୍ସମେଣ୍ଟ ଟିମ୍ ରେ ଖାଦ୍ୟ ସୁରକ୍ଷା ଅଧିକାରୀ କୁନ୍ଦନ ଲୁହାର, କାର୍ଯ୍ୟାଳୟ ସହକାରୀ ଯାଦବ ଦେହେରୀ, ପୌରପାଳିକା କର୍ମଚାରୀ ଶରତ ଚନ୍ଦ୍ର କେଶରୀ, ସଦର ଥାନା କନଷ୍ଟେବଳ ଜିତେନ୍ଦ୍ର ପ୍ରଧାନ ଏବଂ ହୋମଗାର୍ଡ ଯାଜ୍ଞସେନି ନାହାକ ପ୍ରମୁଖ ସାମିଲ ଥିଲେ। ଜନସାଧାରଣଙ୍କୁ ଗୁଣାତ୍ମକ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିପରି ଅଭିଯାନ ଆଗାମୀ ଦିନରେ ମଧ୍ୟ ନିରନ୍ତର ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ