
ନୂଆପଡ଼ା,୧୪ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଇନ୍ଦ୍ରାଦୀ ମଣ୍ଡଳ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଖଡ଼ିଆଳ ଆଜାଦ ଚୌକଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ମଣ୍ଡଳ ସଭାପତି ଯୁଧିଷ୍ଠିର ହଂସଙ୍କ ଅଧ୍ୟକ୍ଷତାରେ ଗଡ଼ରାମୁଣ୍ଡା ପଂଚାୟତରୁ ତ୍ରିରଙ୍ଗା ବାଇକ୍ ରାଲି ଆରମ୍ଭ ହୋଇ ଖଡ଼ିଆଳ ନଗର ପରିକ୍ରମା କରିଥିଲା। ପରେ ମଣ୍ଡୋଷିଲ, ଚିନ୍ଦାଗୁଡ଼ା, ଖୁଦପେଜ, ବରଗାଁ, ସାନମହେଶ୍ୱର, ଚନାବେଡ଼ା, ଭୋଲିଆସିକୁଆଁ ଓ ଭୋଜପୁର ଆଦି ପଂଚାୟତ ଅତିକ୍ରମ କରି ବାଇକ୍ ରାଲି ଭୋଜପୁରଠାରେ ପହଂଚିଥିଲା। ରାଲି ମାଧ୍ୟମରେ ଗ୍ରାମାଂଚଳର ପ୍ରତ୍ୟେକ ପରିବାରରେ ଜାତୀୟ ପତାକା ତ୍ରିରଙ୍ଗାର ମହତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହ ଦେଶର ଏକତା, ଭାଇଚାରା ଓ ମୈତ୍ରୀର ବାର୍ତା ପହଂଚାଯାଇଥିଲା। ଏଥିସହ ପ୍ରତ୍ୟେକ ପରିବାରକୁ ତ୍ରିରଙ୍ଗା ଉତ୍ସବରେ ସାମିଲ ହେବାକୁ ଆହ୍ୱାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲା ସାଧାରଣ ସମ୍ପାଦକ ଅଜିତ କିଶୋର ଚଲାନ, ପ୍ରଭାରୀ ପ୍ରଶାନ୍ତ କୁମାର ଦାସ, ସହପ୍ରଭାରୀ ଜନକରାମ ନାଏକ, ବରିଷ୍ଠ ବିଜେପି ନେତା ସଞ୍ଜୟ ତିୱାରୀ, ମନୋଜ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା, ପୂର୍ବତନ ଜିଲ୍ଲା ଉପସଭାପତି ମୋହନ ଭୋଇ, କୁଳମଣି ଘିଭେଲା, ସୁଶାନ୍ତ ବିଶିଙ୍କ ସମେତ ବହୁ ଦଳୀୟ କର୍ମକର୍ତା ଓ ସମର୍ଥକ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ