ନକଲି ସୋସିଆଲ ମିଡିଆ ପ୍ରୋଫାଇଲ୍ ରେ ଅଶ୍ଳୀଳ ଫଟୋ ପ୍ରସାରଣ : ମୁଖ୍ୟ ଅଭିଯୁକ୍ତ ଗିରଫ
Jharsuguda police caught cyber froud
ନକଲି ସୋସିଆଲ ମିଡିଆ ପ୍ରୋଫାଇଲ୍ ରେ ଅଶ୍ଳୀଳ ଫଟୋ ପ୍ରସାରଣ : ମୁଖ୍ୟ ଅଭିଯୁକ୍ତ ଗିରଫ


ଝାରସୁଗୁଡ଼ା, ୧୪ ଅଗଷ୍ଟ (ହି.ସ.)- ସାଇବର ଷ୍ଟକିଂ, ନକଲି ସୋସିଆଲ ମିଡିଆ ପ୍ରୋଫାଇଲ୍ ତିଆରି, ଅଶ୍ଳୀଳ ଫଟୋ ଓ ଭିଡିଓ ପ୍ରସାରଣ, ଧମକ ଏବଂ ମହିଳାଙ୍କ ଗୋପନୀୟତା ଉଲ୍ଲଂଘନ ଭଳି ଅଭିଯୋଗରେ ଝାରସୁଗୁଡ଼ା ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ସାଇବର କ୍ରାଇମ୍ ଆଣ୍ଡ ଇକୋନୋମିକ୍ ଅଫେନ୍ସ ପୁଲିସ ଷ୍ଟେସନର କେସ୍ ନଂ-୨୫/୨୦୨୬ର ତଦନ୍ତରେ ଏହି ସଫଳତା ମିଳିଛି।

ପୁଲିସ ସୂଚନା ଅନୁଯାୟୀ, ଜଣେ ଅଭିଯୋଗକାରୀ ତାଙ୍କ ଭଉଣୀଙ୍କ ନାମରେ ଅଜଣା ବ୍ୟକ୍ତି ଏକ ନକଲି ଇନ୍ଷ୍ଟାଗ୍ରାମ୍ ପ୍ରୋଫାଇଲ୍ ଖୋଲିଥିବା ନେଇ ଅଭିଯୋଗ କରିଥିଲେ। ଉକ୍ତ ପ୍ରୋଫାଇଲ୍ ରେ ପୀଡ଼ିତାଙ୍କ ଅଶ୍ଳୀଳ ଫଟୋକୁ ପ୍ରୋଫାଇଲ୍ ପିକ୍ଚର ଭାବେ ବ୍ୟବହାର କରାଯାଇଥିଲା। ଏହାସହ ଅଭିଯୁକ୍ତ ଏକାଧିକ ନକଲି ପ୍ରୋଫାଇଲ୍ ମାଧ୍ୟମରେ ପୀଡ଼ିତାଙ୍କୁ ଅଶ୍ଳୀଳ ଫଟୋ, ଭିଡିଓ ଓ ଧମକପୂର୍ଣ୍ଣ ବାର୍ତ୍ତା ପଠାଇବା ସହ ବାରମ୍ବାର ଯୋଗାଯୋଗ କରୁଥିଲେ। ଫଳରେ ପୀଡ଼ିତା ମାନସିକ ନିର୍ଯାତନା ଓ ଗଭୀର ଚାପର ଶିକାର ହୋଇଥିଲେ। ଘଟଣାର ତଦନ୍ତ ସମୟରେ ଝାରସୁଗୁଡ଼ା ପୁଲିସ ଡିଜିଟାଲ ପ୍ରମାଣ ସଂଗ୍ରହ ଓ ବିଶ୍ଳେଷଣ କରିଥିଲା। ମେଟା ପ୍ଲାଟଫର୍ମ ଓ ଗୁଗଲ୍ ରୁ ଆଇନସମ୍ମତ ଭାବେ ଆବଶ୍ୟକ ତଥ୍ୟ ହାସଲ କରାଯିବା ସହ କଲ୍ ଡିଟେଲ୍ ରେକର୍ଡ, ସବସ୍କ୍ରାଇବର୍ ତଥ୍ୟ ଏବଂ ଅନ୍ୟାନ୍ୟ ବୈଷୟିକ ପ୍ରମାଣ ଯାଞ୍ଚ କରାଯାଇଥିଲା। ଏହି ଡିଜିଟାଲ ଟ୍ରେଲ୍ ଆଧାରରେ ତଦନ୍ତକାରୀ ଦଳ ମହାରାଷ୍ଟ୍ରର ମୁମ୍ବାଇ ପହଞ୍ଚିଥିଲା। ଝାରସୁଗୁଡ଼ା ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ୧୨ ଅଗଷ୍ଟ ୨୦୨୬ରେ ନଭି ମୁମ୍ବାଇରେ ଚଢ଼ଉ କରି ମୁଖ୍ୟ ଅଭିଯୁକ୍ତ ରବିରଞ୍ଜନ କୁମାର ମହାତୋ (୨୬)କୁ ଗିରଫ କରିଥିଲା। ସେ ବିହାରର ନାଳନ୍ଦା ଜିଲ୍ଲା ରାହୁଇ ଥାନା ଅନ୍ତର୍ଗତ ଖିରୌନା ଗ୍ରାମର ସ୍ୱର୍ଗତ ଛୋଟନ ପ୍ରସାଦ ମହାତୋଙ୍କ ପୁଅ ବୋଲି ପୁଲିସ ପ୍ରକାଶ କରିଛି।

ପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତ ନକଲି ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବା, ଅଶ୍ଳୀଳ ସାମଗ୍ରୀ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପୀଡ଼ିତାଙ୍କୁ ହଇରାଣ କରିବାରେ ମୁଖ୍ୟ ଭୂମିକା ନେଇଥିଲେ। ମାମଲାରେ ଭାରତୀୟ ନ୍ୟାୟ ସଂହିତା ଏବଂ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ର ସମ୍ପୃକ୍ତ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ସାଇବର ଷ୍ଟକିଂ, ଅପରାଧିକ ଧମକ, ପରିଚୟ ଜାଲିଆତି, ଗୋପନୀୟତା ଉଲ୍ଲଂଘନ ଏବଂ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଅଶ୍ଳୀଳ ସାମଗ୍ରୀ ପ୍ରକାଶ ଓ ପ୍ରସାରଣ ଭଳି ଅଭିଯୋଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଛି। ଘଟଣାରେ ଆହୁରି କିଛି ପାର୍ଶ୍ୱ ରହିଥିବାରୁ ତଦନ୍ତ ଜାରି ରହିଛି। ମହିଳାଙ୍କ ବିରୋଧରେ ସାଇବର ଅପରାଧ ରୋକିବା ଏବଂ ନାଗରିକଙ୍କ ପାଇଁ ସୁରକ୍ଷିତ ସାଇବର ପରିବେଶ ସୁନିଶ୍ଚିତ କରିବାକୁ ଝାରସୁଗୁଡ଼ା ପୁଲିସ ପ୍ରତିବଦ୍ଧ ବୋଲି କହିଛି। ନକଲି ସୋସିଆଲ ମିଡିଆ ପ୍ରୋଫାଇଲ୍, ସାଇବର ଷ୍ଟକିଂ, ଅନ୍ଲାଇନ୍ ହଇରାଣ କିମ୍ବା ଅଶ୍ଳୀଳ ସାମଗ୍ରୀ ପ୍ରସାରଣ ଭଳି ଘଟଣାର ସମ୍ମୁଖୀନ ହେଲେ ତୁରନ୍ତ ପୁଲିସକୁ ଜଣାଇବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି। ମହିଳାଙ୍କ ମର୍ଯ୍ୟାଦା, ଗୋପନୀୟତା ଓ ସୁରକ୍ଷାକୁ ଉଲ୍ଲଂଘନ କରୁଥିବା ଯେକୌଣସି ବ୍ୟକ୍ତି ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୁଲିସ ସ୍ପଷ୍ଟ କରିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande