
ଦାଦନ ମୁକ୍ତ ନୂଆପଡ଼ା ଘୋଷଣା କେବଳ କାଗଜରେ ? ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁରେ ପୁଣି ଉଠିଲା ପ୍ରଶ୍ନ
ନୂଆପଡ଼ା,୧୪ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲାକୁ ‘ଦାଦନ ମୁକ୍ତ ନୂଆପଡ଼ା’ କରିବା ନେଇ ସରକାରଙ୍କ ଘୋଷଣା ହୋଇଥିଲେ ମଧ୍ୟ ବାସ୍ତବ ଚିତ୍ର ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ପ୍ରତି ମାସରେ ଦୁଇରୁ ତିନି ଜଣ ପ୍ରବାସୀ ଶ୍ରମିକଙ୍କ ମୃତଦେହ ଜିଲ୍ଲାର ବିଭିନ୍ନ ଗାଁକୁ ଫେରୁଥିବା ଅଭିଯୋଗ ମଧ୍ୟରେ ଧରମବନ୍ଧା ଥାନା ଅନ୍ତର୍ଗତ ଧ୍ୱଜାଭଟା ଗାଁର ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଗତକାଲି ଗାଁକୁ ଫେରିଛି।
ଧ୍ୱଜାଭଟା ଗାଁର ରାମେଶ୍ୱର ମାଝୀ ପ୍ରାୟ ୬ ମାସ ପୂର୍ବେ ଗୁଜୁରାଟର ଏକ କେମିକାଲ କମ୍ପାନୀରେ କାମ କରିବା ପାଇଁ ଯାଇଥିଲେ। ଗତ ୧୦ ତାରିଖ ରାତିରେ କାମ କରୁଥିବା ସମୟରେ ହଠାତ୍ କେମିକାଲ ତାଙ୍କ ଦେହରେ ପଡ଼ିଯାଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଗଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ରାମେଶ୍ୱରଙ୍କ ମୃତ୍ୟୁ ହୋଇଥିଲା।
ପରେ କମ୍ପାନୀ ମାଲିକଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଦେହ ଧ୍ୱଜାଭଟାସ୍ଥିତ ନିଜ ଗାଁକୁ ପଠାଯାଇଥିଲା। ରାମେଶ୍ୱରଙ୍କ ମୃତ୍ୟୁରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ପରିବାରରେ ବୃଦ୍ଧ ବାପା, ମା’ ଓ ଜଣେ ଭଉଣୀ ରହିଛନ୍ତି। ଏହାସହ କିଛି ଦିନ ପୂର୍ବରୁ ରାମେଶ୍ୱରଙ୍କ ଜଣେ ଭାଇ ଆତ୍ମହତ୍ୟା କରିଥିବା ମଧ୍ୟ ଜଣାପଡ଼ିଛି।
ଏଭଳି ପରିସ୍ଥିତିରେ ରାମେଶ୍ୱରଙ୍କ ପରିବାର ଆହୁରି ଅସହାୟ ହୋଇପଡ଼ିଛି। ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା, ଆବଶ୍ୟକ ସରକାରୀ ସୁବିଧା ଓ ପରିବାରର ଜୀବିକା ସୁରକ୍ଷା ଯୋଗାଇଦେବାକୁ ଭକ୍ତ ବନ୍ଧୁ ଧରୁଆ ଦାବି କରିଛନ୍ତି।
ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ଓ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ପାଇଁ ସରକାରୀ ଘୋଷଣା ସହିତ ଭୂମିସ୍ତରରେ ଦୃଢ଼ ପଦକ୍ଷେପ ନିଆଯିବା ଏବେ ସମୟର ଦାବି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ