
ଝାରସୁଗୁଡ଼ା, ୧୪ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ଅଗଷ୍ଟ ୧୪ ତାରିଖରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳିତ ହୋଇଯାଇଛି। ୧୯୪୭ ମସିହା ଦେଶ ବିଭାଜନ ସମୟରେ ଲୋକମାନେ ସହିଥିବା ଅକଥନୀୟ କଷ୍ଟ, ଯନ୍ତ୍ରଣା ତଥା ତ୍ୟାଗକୁ ସ୍ମରଣ କରିବା ଏବଂ ବର୍ତ୍ତମାନର ସ୍ୱାଧୀନତା ଓ ଏକତାକୁ ବଜାୟ ରଖିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ଏବଂ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ସଙ୍ଗୀତା ମେହେର, ଅନୁଷ୍ଠାନର ଅଧ୍ୟକ୍ଷ କାମ୍ବୁପାଣି ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ଅନୁଷ୍ଠାନର ଏକାଡେମିକ୍ କୋର୍ଡିନେଟରଙ୍କ ସମେତ ସମସ୍ତ ଶିକ୍ଷକ, କର୍ମଚାରୀ ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ଦେଶ ବିଭାଜନ ସମୟର ଐତିହାସିକ ଘଟଣାବଳୀ ଓ ବିସ୍ଥାପନର ଦୁଃଖଦ ଯାତ୍ରା ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଭିଡିଓ ଛାତ୍ରଛାତ୍ରୀମାନଙ୍କୁ ପ୍ରଦର୍ଶନ କରାଯାଇଥିଲା। ବିଭାଜନ ସମୟରେ ପ୍ରାଣ ହରାଇଥିବା ଏବଂ ପ୍ରଭାବିତ ହୋଇଥିବା ଅଗଣିତ ନିରୀହ ଲୋକଙ୍କ ସ୍ମୃତିଚାରଣ ପୂର୍ବକ ସମସ୍ତ ଉପସ୍ଥିତ ଅତିଥି, ଅଧ୍ୟାପକ ଓ ଛାତ୍ରଛାତ୍ରୀ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦେଶର ଅଖଣ୍ଡତା, ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ସହିତ ଏକ ଦକ୍ଷ ଓ ସ୍ୱାବଲମ୍ବୀ ଭାରତ ଗଠନ ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ