
ନୂଆପଡ଼ା, ୧୪ ଅଗଷ୍ଟ (ହି.ସ.)- ନୂଆପଡ଼ାରେ ଏମ୍ଏସ୍ଏମ୍ଇ କନେକ୍ଟ କାର୍ଯ୍ୟକ୍ରମ ସହ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟାରେନ୍ସ କମିଟି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଶିଳ୍ପ ଓ ନିବେଶର ସୁଯୋଗ ବୃଦ୍ଧି ସହ ନୂତନ ଉଦ୍ୟୋଗ ସ୍ଥାପନ ଓ ରୋଜଗାର ସୃଷ୍ଟି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବିଶାଖାପାଟଣା ଓ ସମ୍ବଲପୁରରୁ ଆସିଥିବା ବିଭିନ୍ନ ନିବେଶକମାନେ ଯୋଗଦେଇ ଜିଲ୍ଲାରେ ଶିଳ୍ପ ସ୍ଥାପନ ସମ୍ପର୍କିତ ନିଜ ନିଜ ପ୍ରସ୍ତାବ ଜିଲ୍ଲା ପ୍ରଶାସନ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଏହା ମାଧ୍ୟମରେ ଜିଲ୍ଲାରେ ମୋଟ ୩୧୯.୪୨ କୋଟି ଟଙ୍କାର ନିବେଶ ପାଇଁ ପ୍ରସ୍ତାବ ଆସିଛି। ଏଥିରେ ମେସର୍ସ ହାସଭାନ ରସାୟନ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ସଲଭେଣ୍ଟ ଏକ୍ସଟ୍ରାକ୍ସନ୍ ୟୁନିଟ୍ ସ୍ଥାପନ ପାଇଁ ୫୬ କୋଟି ଟଙ୍କା, ଗ୍ରୋଇଂ ଟ୍ରି ଅଏଲ୍ ଆଣ୍ଡ ରିଫାଇନେରୀ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ତୈଳ ବିଶୋଧନାଗାର ସ୍ଥାପନ ପାଇଁ ୨୫୦ କୋଟି ଟଙ୍କା ଏବଂ ଶ୍ୟାମକୁମ୍ ରେସିଡେନ୍ସି ପକ୍ଷରୁ ଏକ ରିସର୍ଟ ସ୍ଥାପନ ପାଇଁ ୧୩.୪୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ ରହିଛି। ବୈଠକରେ ଓଏମ୍ଏସ୍ଏମ୍ଇଡିପି-୨୦୨୨ ଅଧୀନରେ ଭେରାସ୍ଥିତ ମେସର୍ସ ଜୟ ଶ୍ରୀ କୃଷ୍ଣ ଫାର୍ମ ପକ୍ଷରୁ ଦାଖଲ କରାଯାଇଥିବା ୪୫.୬ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ସବ୍ସିଡି ପ୍ରସ୍ତାବକୁ ମଧ୍ୟ ଜିଲ୍ଲାସ୍ତରୀୟ କମିଟି ଅନୁମୋଦନ କରିଛି। ଜିଲ୍ଲାରେ ଶିଳ୍ପାୟନକୁ ପ୍ରୋତ୍ସାହନ, ନିବେଶକଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ଏବଂ ନୂତନ ରୋଜଗାର ସୁଯୋଗ ସୃଷ୍ଟି ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା ପ୍ରକାଶ ପାଇଛି।
ବୈଠକରେ ଜିଏମ୍, ଡିଆଇସି ସମୀର ମୁଦୁଲିଙ୍କ ସମେତ ସମ୍ପୃକ୍ତ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ