
ମାଲକାନଗିରି, ୧୪ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲ୍ଲାରେ ବର୍ତମାନ ଚାଲିଥିବା ହର ଘର ତୀରଙ୍ଗା କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ଜାତୀୟ ପତାକାକୁ ସମ୍ମାନ ଦିଆଯାଉନଥିବା ନେଇ ଏଥିପ୍ରତି ଗୁରୁତ୍ୱ ଦେବାକୁ ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ସଭାପତି ଜି. ଶ୍ରୀନିବାସ ରାଓ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ଦେଇଛନ୍ତି।
ଉକ୍ତ ଦାବି ପତ୍ରରେ ସେ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ ତା. ୦୯.୦୮.୨୦୨୬ ରିଖ ଠାରୁ ସାରା ରାଜ୍ୟରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ଯାହାକି ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି ଉଲ୍ଲେଖ କରିବା ସହ ତ୍ରିରଙ୍ଗା ପତାକା ଆମ ଭାରତୀୟ ମାନଙ୍କ ଏକ ଗର୍ବ, ଗୌରବ ଓ ଐତିହ୍ୟର ନିଦର୍ଶନ । ଗତବର୍ଷ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କରାଯାଇ ପ୍ରତି ଘରେ ତ୍ରିରଙ୍ଗା ପତାକା ଲଗା ଯାଇଥିଲା । କିନ୍ତୁ ତ୍ରିରଙ୍ଗା ପତାକାର କୌଣସି ସମ୍ମାନ ଦିଆ ଯାଇ ନଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ସମସ୍ତଙ୍କ ଘରେ ଲଗା ଯାଇଥିବା ଏହି ତ୍ରିରଙ୍ଗା ପତାକା ଗୁଡିକ ବର୍ଷସାରା ଲାଗି ରହିଥିବା ଫଳରେ କେତେକଙ୍କ ଘରେ ପତାକା ଗୁଡିକ ଚିରି ଯିବା, ଫାଟିଯାଇଥିଲା ତ ଆଉ କେତେକ ସ୍ଥାନରେ ଏହି ପତାକା ଗୁଡିକ ନାଳ ନର୍ଦମାରେ ପଡିଥିବା ଦେଖିବାକୁ ମିଳିଥିଲା। ଆଉ କେତେକ ସ୍ଥାନରେ ରାସ୍ତା ଉପରେ ପତାକା ପଡ଼ି ରହିଥିବା ବେଳେ ପୌର ପରିଷଦର ଅଳିଆ ଗାଡିରେ ବୁହା ହୋଇ ଯାଉଥିବା ଦେଖିବାକୁ ମିଳିଥିଲା । ଯାହାକି ଆମ୍ଭ ଭାରତର ଗର୍ବ ଓ ଗୌରବ ବୋଲି କୁହାଯାଉଥିବା ଏହି ତ୍ରିରଙ୍ଗା ପତାକାର ସମ୍ପୂର୍ଣ ଭାବେ ଅସମ୍ମାନ କରାଯିବା ସଦୃଶ ହୋଇଛି । ଜଣେ ଭାରତୀୟ ନାଗରିକ ଏବଂ ସଚେତନ ନାଗରିକ ଭାବେ ଏହାକୁ ଆମ୍ଭେ ସମ୍ପୂର୍ଣ ବିରୋଧ କରୁଅଛୁ । ସରକାରଙ୍କ ନିୟମ ଅନୁଯାୟୀ ତ୍ରିରଙ୍ଗା ପତାକାକୁ କେବଳ ଆମ୍ଭେ ଦୁଇଥର ଦେଖିବାକୁ ପାଉ ତାହା ହେଉଛି ସାଧାରଣତନ୍ତ୍ର ଦିବସ ଓ ସ୍ବାଧୀନତା ଦିବସ । ଏହି ଦୁଇ ଦିନ, ସକାଳେ ପତାକା ଉତ୍ତୋଳନ ହୋଇ ସନ୍ଧ୍ୟା ସମୟରେ ଅବତରଣ କରାଯାଏ। ତେଣୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ ଏହି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସମସ୍ତ ଘରକୁ ପତାକା ଯୋଗାଇଦେବା ସହ ଉକ୍ତ ସ୍ବାଧୀନତା ଦିବସ କିମ୍ବା ସାଧାରଣତନ୍ତ୍ର ଦିବସ ଦିନ ସକାଳେ ପତାକା ଲଗାଇ ସନ୍ଧ୍ୟାରେ ଏହାକୁ କାଢ଼ିଦେବା ନିମନ୍ତେ ଆଦେଶ ପ୍ରଦାନ କଲେ ଏହା ଆମ୍ଭ ତ୍ରିରଙ୍ଗା ପତାକାର ସମ୍ମାନ ଭାବେ ପରିଗଣିତ ହେବ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ