
ଝାରସୁଗୁଡ଼ା, ୧୪ ଅଗଷ୍ଟ (ହି.ସ.)- ‘ଘରେ ଘରେ ତ୍ରିରଙ୍ଗା-୨୦୨୬’ ପାଳନ ତଥା ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଅବସରରେ ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସଂସ୍କୃତି ଭବନଠାରେ ଜିଲ୍ଲା ପ୍ରଶାସନ ଓ ‘କଥା ଓ କବିତା ପରିବାର’ର ମିଳିତ ଆନୁକୂଲ୍ୟରେ ଏହି କବିତା ଆସର ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ କୁମାର ମହାରଣା ଯୋଗଦେଇ କବି ଓ କବୟିତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ଅବସରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଜୟ ଜେନା ଓ ବିବେକାନନ୍ଦ ମିଶ୍ରଙ୍କ ସଂଯୋଜନାରେ ୬୦ରୁ ଊର୍ଦ୍ଧ୍ୱ କବି ଓ କବୟିତ୍ରୀ ଏହି କବିତା ପାଠୋତ୍ସବରେ ଯୋଗଦେଇ ସ୍ୱରଚିତ ଦେଶାତ୍ମବୋଧକ କବିତା ପାଠ କରିଥିଲେ। ଦେଶପ୍ରେମ, ଜାତୀୟ ଏକତା ଓ ସ୍ୱାଧୀନତାର ମହତ୍ତ୍ୱକୁ ନେଇ ରଚିତ କବିତାରେ ସଂସ୍କୃତି ଭବନ ପରିବେଶ ଦେଶାତ୍ମବୋଧର ଭାବନାରେ ମୁଖରିତ ହୋଇଉଠିଥିଲା।
କାର୍ଯ୍ୟକ୍ରମ ଆରମ୍ଭରେ ସମସ୍ତେ ସାମୂହିକ ଭାବେ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରିଥିଲେ। ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଅଂଶଗ୍ରହଣ କରିଥିବା କବି ଓ କବୟିତ୍ରୀମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ