
ନୂଆପଡ଼ା, ୧୪ ଅଗଷ୍ଟ (ହି.ସ.)- ‘ହର ଘର ତିରଙ୍ଗା-୨୦୨୬’ ଅଭିଯାନ ଉପଲକ୍ଷେ ନୂଆପଡ଼ାରେ ଆଜି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦେଶପ୍ରେମ ଓ ଜାତୀୟତାବୋଧରେ ଉଦ୍ବୁଦ୍ଧ ଏହି ଶୋଭାଯାତ୍ରାରେ ଜନପ୍ରତିନିଧି, ସରକାରୀ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସାଧାରଣ ଜନତା ବିପୁଳ ସଂଖ୍ୟାରେ ସାମିଲ ହୋଇଥିଲେ। ସକାଳ ୮ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ହାତରେ ତ୍ରିରଙ୍ଗା ଧରି ଦେଶାତ୍ମବୋଧକ ସ୍ଲୋଗାନ ଦେଇ ଅଂଶଗ୍ରହଣକାରୀମାନେ ଜାତୀୟ ପତାକା ପ୍ରତି ସମ୍ମାନ ଓ ଦେଶପ୍ରେମର ବାର୍ତ୍ତା ଦେଇଥିଲେ। ଶୋଭାଯାତ୍ରାରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାଶ, ଆରକ୍ଷୀ ଅଧିକ୍ଷକ ଅମ୍ରିତପାଳ ସିଂ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୁର୍ମି ସୋରେନ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାରଙ୍କ ସମେତ ଜନପ୍ରତିନିଧି, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ବୁଦ୍ଧିଜୀବୀ, ବିଶିଷ୍ଟ ବ୍ୟକ୍ତିବିଶେଷ, ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ, ସ୍କୁଲ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଯୋଗଦେଇଥିଲେ। ଶୋଭାଯାତ୍ରା ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଜିଲ୍ଲାପାଳ ମଧୁସୂଦନ ଦାଶ ଶୋଭାଯାତ୍ରାକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ଜନପ୍ରତିନିଧି, ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ। ଜାତୀୟ ପତାକା ଆମ ଦେଶର ଗୌରବ, ଏକତା ଓ ସ୍ୱାଭିମାନର ପ୍ରତୀକ ହୋଇଥିବାରୁ ଏହାର ଗୌରବ ଓ ଗାରିମା ବଜାୟ ରଖିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ଅତିଥିମାନେ ଉଦ୍ବୋଧନ ଦେଇ ‘ହର ଘର ତିରଙ୍ଗା’ ଅଭିଯାନର ମହତ୍ତ୍ୱ ଓ ଜାତୀୟ ପତାକା ପ୍ରତି ସମ୍ମାନବୋଧ ବିଷୟରେ ଆଲୋକପାତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ