
ଭୁବନେଶ୍ୱର, 14 ଅଗଷ୍ଟ (ହି.ସ.)- ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଅମାନବୀୟ ପୀଡ଼ା
ସହିଥିବା ଭାରତର ପ୍ରତ୍ୟେକ ସନ୍ତାନଙ୍କୁ ବିନମ୍ର ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏହି ଅବସରରେ ସେ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି
କହିଛନ୍ତି ଯେ, ଅଗଣିତ ଶହୀଦଙ୍କ ତ୍ୟାଗ ଓ ସଂଘର୍ଷରୁ ଜନ୍ମ ନେଇଥିଲା ଆମ ସ୍ୱାଧୀନତାର ସୂର୍ଯ୍ୟ।
୧୫ ଅଗଷ୍ଟ ୧୯୪୭ ର ସେହି ପ୍ରଭାତ ଆମ ପାଇଁ ଯେତିକି ଗର୍ବର ଥିଲା, ତା'ଠାରୁ ବଳି ଦାରୁଣ
ଥିଲା ତା' ପରଦିନର ସକାଳ।
ସ୍ୱାଧୀନତାର ସେହି ମହାର୍ଘ ଆନନ୍ଦ ସହିତ ଜଡ଼ିତ ହୋଇଗଲା ଏକ ଶତାବ୍ଦୀର ସବୁଠାରୁ ଭୀଷଣ କ୍ଷତ, ଯାହାର ନିଆଁ ଆଜି
ବି ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଦଗ୍ଧ କରେ।
ରାଜନୈତିକ ସ୍ୱାର୍ଥ ଓ ଅଦୂରଦର୍ଶୀ ନିଷ୍ପତ୍ତିରେ ବଳିପଡ଼ି ୧୪ ଅଗଷ୍ଟ
ରାତିରେ ଆମ ପବିତ୍ର ମାତୃଭୂମି ଦ୍ୱିଖଣ୍ଡିତ ହୋଇଗଲା। ଏହା କେବଳ ମାନଚିତ୍ରରେ ଗୋଟିଏ ଅଦୃଶ୍ୟ
ଗାର ନଥିଲା, ବରଂ କୋଟି କୋଟି
ଭାରତୀୟଙ୍କ ଆତ୍ମା, ସମ୍ପର୍କ, ବିଶ୍ୱାସ ଓ
ସଂସ୍କୃତି ଉପରେ ଏକ ନିଷ୍ଠୁର କୁଠାରଘାତ ଥିଲା। ରାତାରାତି କୋଟି କୋଟି ଲୋକ ନିଜ ଭିଟାମାଟିରୁ
ବିସ୍ଥାପିତ ହୋଇ ନିଜ ଦେଶରେ ହିଁ ନିଃସ୍ୱ, ଶରଣାର୍ଥୀ ପାଲଟିଗଲେ। ପ୍ରାଣଭୟରେ ଧାଉଁଥିବା ସେହି ଗହଳି ଭିତରେ
ଲକ୍ଷ ଲକ୍ଷ ନିରୀହ ଲୋକଙ୍କର ଜୀବନ ଜଳିଗଲା। ଆମ ଧାର୍ମିକ ସ୍ଥଳୀ ଓ ଆମ ସଂସ୍କୃତିର
ପ୍ରାଣକେନ୍ଦ୍ରଗୁଡ଼ିକ ଆମଠାରୁ ଛିନ୍ନ ଭିନ୍ନ ହୋଇଗଲେ। ଆମର ପବିତ୍ର କୁଳବଧୂ ଓ କନ୍ୟାମାନେ ସହିଥିବା
ଅମାନବୀୟ ଲାଞ୍ଛନା ଏବଂ ଅତ୍ୟାଚାର ତତ୍କାଳୀନ ନୀତିହୀନ ଶାସନତନ୍ତ୍ରର ଏକ କଳା ଫର୍ଦ୍ଦ, ଯାହାର ଭୀଷଣ କ୍ଷତ
ଆଜି ବି ଆମ ଜାତୀୟ ସ୍ୱାଭିମାନକୁ ଆନ୍ଦୋଳିତ କରେ।
ଦୀର୍ଘ ଦଶନ୍ଧି ଧରି ଇତିହାସର ଏହି ରକ୍ତରଞ୍ଜିତ ପ୍ରସଙ୍ଗକୁ
ତୁଷ୍ଟୀକରଣ ରାଜନୀତି ଓ ଦାସତ୍ୱମାନସିକତାର ଚାଦର ତଳେ ଘୋଡ଼ାଇ ରଖିବାକୁ ଚକ୍ରାନ୍ତ
କରାଯାଇଥିଲା। କିନ୍ତୁ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସଂକଳ୍ପ
ଯୋଗୁଁ ୧୪ ଅଗଷ୍ଟକୁ 'ବିଭାଜନ ବିଭୀଷିକା
ସ୍ମୃତି ଦିବସ' ଭାବେ ପାଳନ
କରାଯାଉଛି। ଏହା କେବଳ ଗୋଟିଏ ଦିବସ ନୁହେଁ, ବରଂ ସେହି ଅସଂଖ୍ୟ ଅମର ଆତ୍ମାଙ୍କ ଅକୁହା ଯନ୍ତ୍ରଣା, ବଳିଦାନ ଓ ଅସମାପ୍ତ
କାହାଣୀ ପ୍ରତି ଏକ ପବିତ୍ର ଅଶ୍ରୁପୂର୍ଣ୍ଣ ପ୍ରଣାମ।
ଆଜି ଯେତେବେଳେ ଭାରତ ଗୋଟିଏ ଶକ୍ତିଶାଳୀ ରାଷ୍ଟ୍ର ଭାବେ ବିଶ୍ୱ
ମଞ୍ଚରେ ମୁଣ୍ଡ ଟେକି ଠିଆ ହୋଇଛି, ସେତେବେଳେ ଏହି ଦିନ ଆମକୁ ଚେତାବନୀ ଦିଏ ଯେ ଆମର ଜାତୀୟ ଏକତା, ଅଖଣ୍ଡତା ଓ
ଭାଇଚାରା କେତେ ସୂକ୍ଷ୍ମ ଏବଂ ଅମୂଲ୍ୟ।
ବିଭାଜନର ସେହି କାଳରାତ୍ରିରେ ଅମାନବୀୟ ପୀଡ଼ା ସହିଥିବା ଭାରତର
ପ୍ରତ୍ୟେକ ସନ୍ତାନଙ୍କୁ ବିନମ୍ର ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା