
ଭୁବନେଶ୍ୱର, 14 ଅଗଷ୍ଟ (ହି.ସ.)- କିଛି ଯାତ୍ରା
ସ୍ୱପ୍ନରୁ ଆରମ୍ଭ ହୋଇଥାଏ, ତ ଆଉ କିଛି
ପ୍ରତିକୂଳ ପରିସ୍ଥିତି ସହ ଜୀବନ ସଂଗ୍ରାମରୁ। ନିଜର ଶିଶୁପୁତ୍ରର ପ୍ରତିପୋଷଣ ଏବଂ ପରିବାର
ଗୁଜୁରାଣ ମେଣ୍ଟାଇବା ପାଇଁ ଦିନେ ଯେଉଁ ମା' ନର୍ସିଂହୋମରେ ପାଇଖାନା ସଫା କରୁଥିଲେ, ଆଜି ସେ ସାହସ, ସ୍ୱାଭିମାନ ଏବଂ ଏକ
ନୂତନ ଆରମ୍ଭର ପ୍ରତୀକ ସାଜିଛନ୍ତି।
କଟକର ଶ୍ରୀମତୀ ଝୁନୁଲତା ନାୟକ କଠିନ ଜୀବନ ସଂଗ୍ରାମର ପ୍ରକୃତ ମାନେ
ବୁଝନ୍ତି। ସ୍ୱାମୀ ଛାଡ଼ିଯିବା ପରେ ନିଜର ୭ ବର୍ଷର ପୁଅ ପାଇଁ ସେ ଏକମାତ୍ର ସାହାରା
ପାଲଟିଥିଲେ। ପରିବାର ପ୍ରତିପୋଷଣ ପାଇଁ ସେ ଏକ ନର୍ସିଂହୋମରେ ଶ୍ରମଭିତ୍ତିକ ସଫେଇ କାର୍ଯ୍ୟ
କରୁଥିଲେ। ଏହି କାର୍ଯ୍ୟ କଷ୍ଟଦାୟକ ଥିଲା ଏବଂ ଏଥିରେ ନା ଥିଲା କାର୍ଯ୍ୟକ୍ଷେତ୍ରର ନିରାପତ୍ତା, ନା ଥିଲା କୌଣସି
ନିୟମିତ ଆୟ କିମ୍ବା ପେଷାଗତ ପରିଚୟ। ତଥାପି, ସେ ହାର୍ ନମାନି ନିଜ ପୁଅର ଲାଳନପାଳନ ଏବଂ ସଂସାର ଚଳାଇବାର
ଦାୟିତ୍ୱ ନିଜ କାନ୍ଧରେ ନେଇଥିଲେ।
ତା’ପରେ ଆସିଲା ଏକ ଏପରି ସୁଯୋଗ, ଯାହା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଲା। ରାଜ୍ୟ
ସରକାରଙ୍କ ଯୁଗାନ୍ତକାରୀ ‘ଗରିମା’ଯୋଜନା ମାଧ୍ୟମରେ, ଝୁନୁଲତା କଟକ ମହାନଗର ନିଗମ ଦ୍ୱାରା ଅନ୍ସାଇଟ୍ ପରିମଳ ବ୍ୟବସ୍ଥାର
ଡିସ୍ଲଜିଂ ସମ୍ପର୍କିତ ସ୍ୱତନ୍ତ୍ର ତାଲିମ ଗ୍ରହଣ କଲେ। ମୁଖ୍ୟ ପରିମଳ କର୍ମଚାରୀମାନଙ୍କୁ
ସୁରକ୍ଷିତ କାର୍ଯ୍ୟ ପରିବେଶ,
ଆତ୍ମସମ୍ମାନ, ଦକ୍ଷତା ବିକାଶ, ସାମାଜିକ ସୁରକ୍ଷା
ଏବଂ ନୂତନ ପେଷାଗତ ପରିଚୟ ପ୍ରଦାନ କରି ସେମାନଙ୍କ ଜୀବନରେ ସୁଧାର ଆଣିବା ଏହି ଯୋଜନାର ମୁଖ୍ୟ
ଉଦ୍ଦେଶ୍ୟ।
ଦୃଢ଼ ଇଚ୍ଛାଶକ୍ତି ଏବଂ ସାହସ ବଳରେ ସେ ଡିସ୍ଲଜିଂ କ୍ଷେତ୍ରରେ ପାଦ
ଥାପିଲେ ଏବଂ ‘ଓଡ଼ିଶାର ପ୍ରଥମ ମହିଳା ଡିସ୍ଲଜର’ ହେବାର ଗୌରବ ହାସଲ କଲେ। ତାଙ୍କ ପାଇଁ ଏହା
କେବଳ ଗୋଟିଏ ନୂଆ ଜୀବିକା ନଥିଲା, ବରଂ ନୂତନ ଆଶାର ସୂର୍ଯ୍ୟୋଦୟ ଥିଲା।
ଆଜି ସେ ନିଜର ନିର୍ଦ୍ଦିଷ୍ଟ ପୋଷାକ (ୟୁନିଫର୍ମ) ଏବଂ ଆବଶ୍ୟକୀୟ
ନିରାପତ୍ତା ଉପକରଣ ବ୍ୟବହାର କରି କାର୍ଯ୍ୟ କରୁଛନ୍ତି ଓ ନିୟମିତ ପାରିଶ୍ରମିକ ପାଉଛନ୍ତି। ଏହି
ପରିବର୍ତ୍ତନ କେବଳ ତାଙ୍କ କାର୍ଯ୍ୟପରିସରରେ ନୁହେଁ, ବରଂ ତାଙ୍କ ଆତ୍ମବିଶ୍ୱାସରେ ମଧ୍ୟ ସ୍ପଷ୍ଟ ବାରି ହୋଇପଡ଼ୁଛି। ଜଣେ
ତାଲିମପ୍ରାପ୍ତ ପେଷାଦାର ଭାବରେ ସେ ଆଜି ଆବଶ୍ୟକୀୟ ପରିମଳ ସେବା ଯୋଗାଇ ଦେଉଛନ୍ତି, ଯାହା ପ୍ରତ୍ୟେକ
କର୍ମଚାରୀଙ୍କର ଅଧିକାର।
ଯେଉଁ ମହିଳା ଜଣକ ଦିନେ କେବଳ ଜୀବନ ନିର୍ବାହ ପାଇଁ ସଂଘର୍ଷ କରୁଥିଲେ, ଆଜି ନିଜର ଏକ
ସ୍ୱତନ୍ତ୍ର ପେଷା ତାଙ୍କୁ ଆତ୍ମନିର୍ଭରଶୀଳତା ଏବଂ ଆତ୍ମସମ୍ମାନ ଆଣିଦେଇଛି। ରାଜ୍ୟର ପ୍ରଥମ
ମହିଳା ଡିସ୍ଲଜର ହୋଇ ଝୁନୁଲତା ଲିଙ୍ଗଗତ ପ୍ରତିବନ୍ଧକକୁ ମଧ୍ୟ ଭାଙ୍ଗିପାରିଛନ୍ତି। ଦକ୍ଷତା, ସୁଯୋଗ ଏବଂ
ସୁରକ୍ଷିତ କାର୍ଯ୍ୟ ପରିବେଶ ମିଳିଲେ ମହିଳାମାନେ କ’ଣ ହାସଲ କରିପାରିବେ, ତାହା ତାଙ୍କ
ଯାତ୍ରାରୁ ପ୍ରମାଣିତ ହୋଇଛି।
କିନ୍ତୁ ସେ ସବୁଠାରୁ ବଡ଼ ସ୍ୱପ୍ନ ନିଜ ପାଇଁ ନୁହେଁ, ବରଂ ନିଜ ପୁଅ ପାଇଁ
ଦେଖିଛନ୍ତି। ଝୁନୁଲତା ନିଜ ପୁଅକୁ ଭଲ ଶିକ୍ଷା ଦେଇ ଉଚ୍ଚଶିକ୍ଷା ଚାହାଁନ୍ତି। ପ୍ରତିଦିନ ନିଜର
ୟୁନିଫର୍ମ ପିନ୍ଧି କାର୍ଯ୍ୟକ୍ଷେତ୍ରକୁ ଯିବା ସମୟରେ ସେ ଏହି ସ୍ୱପ୍ନକୁ ସାଥୀରେ ନେଇଯାଆନ୍ତି, ନିଜେ ନିଭାଇଥିବା
ସଂଘର୍ଷଠାରୁ ଦୂରରେ ନିଜ ପୁଅକୁ ଏକ ସୁନ୍ଦର ଭବିଷ୍ୟତ ଦେବାର ଆଶା।
ତାଙ୍କର ଏହି ଯାତ୍ରା 'ଗରିମା' ଯୋଜନାର ବ୍ୟାପକ ଉଦ୍ଦେଶ୍ୟକୁ ପ୍ରତିଫଳିତ କରେ, ଯେଉଁମାନେ ସମାଜକୁ
ସ୍ୱଚ୍ଛ ଓ ସୁସ୍ଥ ରଖିବା ପାଇଁ କାର୍ଯ୍ୟ କରୁଛନ୍ତି, ସେମାନେ ନିଜେ ମଧ୍ୟ ଯେପରି ମର୍ଯ୍ୟାଦାର ସହ ଜୀବନଜାପନ କରିପାରିବେ।
ସୁରକ୍ଷା, ଦକ୍ଷତା ବିକାଶ, ସୁରକ୍ଷା ଉପକରଣ, ଯାନ୍ତ୍ରିକୀକରଣ
ଏବଂ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଏକାଠି କରି 'ଗରିମା' ଯୋଜନା ମୁଖ୍ୟ ପରିମଳ କର୍ମଚାରୀମାନଙ୍କ ପାଇଁ ଏକ ସୁରକ୍ଷିତ ଏବଂ
ମର୍ଯ୍ୟାଦାପୂର୍ଣ୍ଣ ଭବିଷ୍ୟତ ଗଢ଼ିବାରେ ସାହାଯ୍ୟ କରୁଛି।
ମୁଖ୍ୟ ପରିମଳ କର୍ମଚାରୀଙ୍କ ସୁରକ୍ଷା ପ୍ରତିବଦ୍ଧତାକୁ ଆହୁରି
ସୁଦୃଢ଼ କରି ଗତ ଜାତୀୟ ଗରିମା ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ
ବିପଦପୂର୍ଣ୍ଣ ପରିମଳ କାର୍ଯ୍ୟରେ ନିୟୋଜିତ ପ୍ରମୁଖ ପରିମଳ କର୍ମଚାରୀମାନଙ୍କ ପାଇଁ ଜୀବନ ବୀମା
ଏବଂ କାର୍ଯ୍ୟରତ ଅବସ୍ଥାରେ ଅପ୍ରତ୍ୟାଶିତ ମୃତ୍ୟୁ ଘଟିଲେ କ୍ଷତିପୂରଣ ସହାୟତା ଘୋଷଣା
କରିସାରିଛନ୍ତି।
ଏବେ ଏହି ଯାତ୍ରା ଏକ ବୃହତ୍ତର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛି।
ଆସନ୍ତା ୨୨ ଅଗଷ୍ଟ ୨୦୨୬ ରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଜାତୀୟ ଗରିମା କନକ୍ଲେଭ୍
୨୦୨୬, “ମିଶନ ଜିରୋ: ପରିମଳ
କାର୍ଯ୍ୟରେ ମୃତ୍ୟୁର ସମ୍ପୂର୍ଣ୍ଣ ନିରାକରଣ”ଭଳି ଥିମ୍ ଅଧୀନରେ ଏହି ପ୍ରତିବଦ୍ଧତାକୁ ଆଗକୁ ନେବ।
'ମିଶନ ଜିରୋ' ହେଉଛି ସେହି
ସଂକଳ୍ପ, ଯାହା ନିଶ୍ଚିତ କରେ
ଯେ ସମାଜକୁ ସ୍ୱଚ୍ଛ ରଖିବାର ଅତ୍ୟାବଶ୍ୟକ କାର୍ଯ୍ୟ କରୁଥିବା ସମୟରେ ଯେପରି କୌଣସି ପରିମଳ
କର୍ମଚାରୀଙ୍କ ଜୀବନ ନଯାଏ। ଏହା ପରିମଳ କାର୍ଯ୍ୟରେ ସୁରକ୍ଷାକୁ ପ୍ରାଥମିକତା ଦିଏ ଦୁର୍ଘଟଣା
ପରେ ସୁରକ୍ଷା ଦେବା ପରିବର୍ତ୍ତେ ଏପରି ଏକ ବ୍ୟବସ୍ଥା ଗଢ଼ିବାକୁ ଚାହେଁ ଯେଉଁଥିରେ ଏପରି ଦୁଃଖଦ
ଦୁର୍ଘଟଣା ଆଦୌ ଘଟିବ ନାହିଁ।
ଝୁନୁଲତାଙ୍କ କାହାଣୀ ଏହି ମିଶନକୁ ଏକ ଗଭୀର ମାନବୀୟ ରୂପ ଦେଇଛି।
ନର୍ସିଂହୋମରେ ସଫେଇ କାର୍ଯ୍ୟରୁ ଆରମ୍ଭ କରି ଓଡ଼ିଶାର ପ୍ରଥମ ମହିଳା ଡିସ୍ଲଜର ହେବା ପର୍ଯ୍ୟନ୍ତ, ସେ ନିଜର ପ୍ରତିକୂଳ
ପରିସ୍ଥିତିକୁ ନିଷ୍ଠାରେ ବଦଳାଇଛନ୍ତି ଏବଂ ଅନିଶ୍ଚିତ ଜୀବିକାକୁ ଏକ ଗୌରବମୟ ପେଷାରେ ପରିଣତ
କରିଛନ୍ତି।
ଆଜି ସେ ନିଜର ମୁଣ୍ଡ ଟେକି ଗର୍ବର ସହ କାମ କରୁଛନ୍ତି ଜୀବନ ସହଜ
ହୋଇଯାଇଛି ବୋଲି ନୁହେଁ, ବରଂ ସେ ନିଜ ପାଇଁ
ଓ ନିଜ ପୁଅ ପାଇଁ ଏକ ସୁନ୍ଦର ଭବିଷ୍ୟତ ଗଢ଼ିବାର ସୁଯୋଗ ଏବଂ ସାହସ ପାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା