
ନୂଆଦିଲ୍ଲୀ, ଅଗଷ୍ଟ ୧୯ (ହି.ସ.) - କେନ୍ଦ୍ର କ୍ୟାବିନେଟ ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡ଼ୁ ଏବଂ ଆନ୍ଧ୍ରପ୍ରଦେଶର ୮ଟି ଜିଲ୍ଲାରେ ୪ଟି ବହୁମୁଖୀ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି। ଏହାଦ୍ୱାରା ଭାରତୀୟ ରେଳ ନେଟୱାର୍କର ଦୈର୍ଘ୍ୟ ପ୍ରାୟ ୪୧୦ କିଲୋମିଟର ବୃଦ୍ଧି ପାଇବ। ଏହାର ମୋଟ ଆନୁମାନିକ ମୂଲ୍ୟ ୯,୪୫୦ କୋଟି ଟଙ୍କା। ଏହି ପ୍ରକଳ୍ପଗୁଡ଼ିକୁ ୨୦୩୦-୩୧ ଦ୍ୱାରା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ôଥକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆଜି ରେଳ ମନ୍ତ୍ରଣାଳୟର ଚାରୋଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ପ୍ରସ୍ତାବିତ ମଲ୍ଟି-ଟ୍ରାକିଂ ପ୍ରକଳ୍ପଗୁଡ଼ିକ ପାଖାପାଖି ୬୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗ୍ରାମଗୁଡ଼ିକର ସଂଯୋଗୀକରଣରେ ଉନ୍ନତି ଆଣିବ। ନୂଆ ରେଳ ଲାଇନଗୁଡ଼ିକ ହେଲା ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଖଡ଼ଗପୁର-ଭଦ୍ରକ (ରାଣୀତାଲ) ୪ର୍ଥ ଲାଇନ (୧୭୩ କି. ମି.), ଓଡ଼ିଶାରେ ଭଦ୍ରକ-ହରିଦାସପୁର ୪ର୍ଥ ଲାଇନ (୭୫ କି. ମି.), ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡ଼ୁରେ ଗୁମ୍ମିଡିପୁଣ୍ଡି-ଗୁଡୁର ୩ୟ ଏବଂ ୪ର୍ଥ ଲାଇନ (୯୦ କି. ମି.), ଓଡ଼ିଶାରେ କଟକ-ପାରାଦୀପ (ବାରବାଣ୍ଡା) ୩ୟ ଏବଂ ୪ର୍ଥ ଲାଇନ (୭୨ କି. ମି.)।
ବୁଧବାର ଦିନ ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ ସୂଚନା ଦେଇଥିଲେ ଯେ ପ୍ରସ୍ତାବିତ କ୍ଷମତା ବୃଦ୍ଧି ଦ୍ୱାରା ଦେଶର ଅନେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସହିତ ରେଳ ଯୋଗାଯୋଗରେ ଉନ୍ନତି ଆସିବ। ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ କୋଇଲା, ଲୁହାପଥର, ସିମେଂଟ, ଲୁହା ଏବଂ ଇସ୍ପାତ, କଂଟେନର, ଅଟୋମୋବାଇଲ, ଖାଦ୍ୟ ଶସ୍ୟ ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି କାର୍ଯ୍ୟ ବାର୍ଷିକ ୭୬ ନିୟୁତ ଟନ୍ର ଅତିରିକ୍ତ କ୍ଷମତା ପ୍ରଦାନ କରିବ।
ସେ ସୂଚନା ଦେଇଥିଲେ ଯେ ରେଳବାଇ ଏକ ପରିବେଶ ଅନୁକୂଳ ଏବଂ ଶକ୍ତି ଦକ୍ଷ ପରିବହନ ମାଧ୍ୟମ ହୋଇଥିବାରୁ ଏହା ଜଳବାୟୁ ଲକ୍ଷ୍ୟ ହାସଲ କରିବା ଏବଂ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବ। ଏହା ମଧ୍ୟ ତୈଳ ଆମଦାନୀ (ପାଖାପାଖି ୧୩୦ ନିୟୁତ ଲିଟର) ହ୍ରାସ କରିବ ଏବଂ ଅଙ୍ଗାରକାମ୍ଳ ନିର୍ଗମନ (ପାଖାପାଖି ୬୫୦ ନିୟୁତ କିଲୋଗ୍ରାମ) ହ୍ରାସ କରିବ, ଯାହା ୨୬୦ ନିୟୁତ ବୃକ୍ଷରୋପଣ ସହିତ ସମାନ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ