
ନୂଆଦିଲ୍ଲୀ, ୨୧ ଅଗଷ୍ଟ(ହି.ସ.) – ଭାଗିରଥୀ ଇକୋ-ସେନ୍ସିଟିଭ୍ ଜୋନ୍ ବିଜ୍ଞପ୍ତିର କାର୍ଯ୍ୟକାରିତା ସମୀକ୍ଷା ପାଇଁ ଶୁକ୍ରବାର ଦିନ ଉତରାଖଣ୍ଡର ମୁଖ୍ୟ ସଚିବ, ସଚିବ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ମଧ୍ୟ ଉପସ୍ଥିତ ଥିଲେ।
ବିଜ୍ଞପ୍ତିର ସମସ୍ତ ବ୍ୟବସ୍ଥାକୁ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରଭାବଶାଳୀ ତଦାରଖ, ପ୍ରବର୍ତନ ଏବଂ ଅନୁପାଳନ ପାଇଁ ଦୃଢ଼ ସଂସ୍ଥାଗତ ବ୍ୟବସ୍ଥା କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ସମ୍ପୂର୍ଣ୍ଣ ଅନୁପାଳନ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ବିଶେଷ କରି ଭାଗୀରଥୀ ନଦୀ ଏବଂ ଏହାର ଆଖପାଖ ଅଂଚଳର ସାଂସ୍କୃତିକ, ପରିବେଶଗତ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱକୁ ଧ୍ୟାନରେ ରଖି ସଂରକ୍ଷଣ ଏବଂ ସମ୍ବେଦନଶୀଳ ବିକାଶ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏଠାରେ ସ୍ମରଣଯୋଗ୍ୟ ଯେ ୨୦୧୨ ଡିସେମ୍ବର ୧୮ ତାରିଖରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ଭାଗିରଥୀ ଇକୋ-ସେନ୍ସିଟିଭ୍ ଜୋନ୍ ବିଜ୍ଞପ୍ତି ଅଧିନରେ ଗୋମୁଖରୁ ଉତରକାଶୀ ପର୍ଯ୍ୟନ୍ତ ଭାଗିରଥୀ ନଦୀର ବର୍ଗ କିଲୋମିଟର ଅଂଚଳକୁ ଏକ ଇକୋ-ସେନ୍ସିଟିଭ୍ ଜୋନ୍ ଭାବେ ଘୋଷଣା କରିଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗଙ୍ଗାର ଉତ୍ସ ଏବଂ ଦୁର୍ବଳ ହିମାଳୟ ପରିସଂସ୍ଥାର ଜୈବ-ବିବିଧତାର ସୁରକ୍ଷା କରିବା।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି