
ଲକ୍ଷ୍ନୌ, ୧୯ ଅଗଷ୍ଟ (ହି.ସ.)- ସମାଜବାଦୀ ପାର୍ଟିର ପ୍ରଭାବଶାଳୀ ନେତା ଆଜମ ଖାନଙ୍କ ସମସ୍ୟା କମିବାର ନାମ ନେଉନାହିଁ। ଏହି କ୍ରମରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି)ର ଲକ୍ଷ୍ନୌ ଜୋନାଲ ଅଫିସ ବୁଧବାର ଆଜମ ଖାନଙ୍କ ୧୦ଟି ଠିକଣାରେ ଚଢ଼ାଉ କରିଛି। ରାମପୁରରୁ ଆରମ୍ଭ କରି ସହାରନପୁର ଏବଂ ଦିଲ୍ଲୀ ପର୍ଯ୍ୟନ୍ତ ୧୦ଟି ଠିକଣାରେ ଏହି କାର୍ଯ୍ୟାନୁଷ୍ଠାନ ଚାଲିଛି।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ମୌଲାନା ମହମ୍ମଦ ଅଲୀ ଜୌହର ଟ୍ରଷ୍ଟ ଏବଂ ମହମ୍ମଦ ଅଲୀ ଜୌହର ବିଶ୍ୱବିଦ୍ୟାଳୟ, ରାମପୁର ସହ ଜଡ଼ିତ ମନିଲଣ୍ଡରିଂ ମାମଲାର ଚାଲିଥିବା ତଦନ୍ତ ସମ୍ପର୍କରେ ହେଉଛି। ଧନଶୋଧନ ନିବାରଣ ଅଧିନିୟମ (ପିଏମଏଲଏ), ୨୦୦୨ର ଧାରା ୧୭ ଅନୁଯାୟୀ ଇଡିର କାର୍ଯ୍ୟାନୁଷ୍ଠାନ ଚାଲିଛି। ତଦନ୍ତରେ ଟ୍ରଷ୍ଟ ମଧ୍ୟରେ ଟଙ୍କା କାରବାର ଏବଂ ଅନ୍ୟାନ୍ୟ ସୂଚନା ମିଳିଛି। ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଟ୍ରଷ୍ଟକୁ ମିଳିଥିବା ଫଣ୍ଡ ବୈଧ କି ନୁହେଁ, ତାହା ଜାଣିବାକୁ ଚେଷ୍ଟା କରୁଛନ୍ତି। ଏହା ସହ ଏହି ଟଙ୍କା ବିଶ୍ୱବିଦ୍ୟାଳୟର କାମରେ ବ୍ୟବହାର ହୋଇଛି କିମ୍ବା ଅନ୍ୟ କେଉଁଠି ବ୍ୟବହାର ହୋଇଛି, ତାହା ମଧ୍ୟ ଯାଂଚ କରାଯାଉଛି।
ଉଲ୍ଲେଖନୀୟ ଯେ ଆଜମ ଖାନଙ୍କ ମୌଲାନା ମହମ୍ମଦ ଅଲୀ ଜୌହର ଟ୍ରଷ୍ଟର ମୁଖ୍ୟାଳୟ ଲକ୍ଷ୍ନୌରେ ଅଛି ଯାହାର ମୁଖ୍ୟ ଟ୍ରଷ୍ଟି ସପା ନେତା ଆଜମ ଖାନ ହିଁ ଅଛନ୍ତି। ତାଙ୍କ ବ୍ୟତୀତ ପରିବାରର କିଛି ସଦସ୍ୟ ଏବଂ ସହଯୋଗୀ ମଧ୍ୟ ଟ୍ରଷ୍ଟରେ ସାମିଲ ଅଛନ୍ତି। ଏହି ଟ୍ରଷ୍ଟ ରାମପୁର ଜିଲ୍ଲାରେ ମହମ୍ମଦ ଅଲୀ ଜୌହର ବିଶ୍ୱବିଦ୍ୟାଳୟ ଏବଂ ଏକ ପବ୍ଲିକ ସ୍କୁଲ ମଧ୍ୟ ପରିଚାଳନା କରେ।
ଜୁଲାଇ, ୨୦୨୬ରେ ରାମପୁର ବିକାଶ ପ୍ରାଧିକରଣ (ଆରଡିଏ) ପକ୍ଷରୁ ବିଶ୍ୱବିଦ୍ୟାଳୟର ୪୦ଟି ମଧ୍ୟରୁ ୩୮ଟି କୋଠା ଭାଙ୍ଗିବା ପାଇଁ ଆଦେଶ ଜାରି ହୋଇଥିଲା। ଏହାକୁ ନେଇ ବହୁ ବିବାଦ ହୋଇଥିଲା ଏବଂ ପରେ ଏହା ଉପରେ ଅନ୍ତରୀଣ ରୋକ ଲଗାଯାଇଥିଲା।
------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ