
କୋଲକାତା, ୧୯ ଅଗଷ୍ଟ (ହି.ସ.)- କୋଲକାତାର ନ୍ୟୁ ମାର୍କେଟ ଥାନା ଅଂଚଳର ମିର୍ଜା ଗାଲିବ ଷ୍ଟ୍ରିଟ୍ ସ୍ଥିତ ହୋଟେଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ନଅ ଜଣଙ୍କ ମୃତ୍ୟୁ ପରେ ହୋଟେଲକୁ ମିଳିଥିବା ଟ୍ରେଡ୍ ଲାଇସେନ୍ସ, ବିଦ୍ୟୁତ ସଂଯୋଗ ଏବଂ ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିବାକୁ ଲାଗିଛି। ରାଜ୍ୟର ନଗର ବିକାଶ ମନ୍ତ୍ରୀ ଅଗ୍ନିମିତ୍ରା ପଲ୍ ବୁଧବାର ଘଟଣାସ୍ଥଳ ପରିଦର୍ଶନ କରି ହୋଟେଲକୁ କଥିତ ଭାବେ ନିୟମ ଉଲ୍ଲଂଘନ ସତ୍ୱେ ଅନୁମତି ମିଳିବା ନେଇ ପ୍ରଶ୍ନ ଉଠାଇଛନ୍ତି।
ଅଗ୍ନିମିତ୍ରା ପଲ୍ କହିଛନ୍ତି ଯେ ପାଂଚ ମହଲା କୋଠାରେ ଅନେକ ହୋଟେଲ ଚାଲୁଥିଲା। କୋଠରୀଗୁଡ଼ିକର ଆକାର ଛୋଟ ଥିଲା ଏବଂ ପ୍ରବେଶ ଓ ପ୍ରସ୍ଥାନ ପଥ ମଧ୍ୟ ସଂକୀର୍ଣ୍ଣ ଥିଲା। ସେ କହିଛନ୍ତି ଯେ ସେଠାରେ ଜରୁରୀକାଳୀନ ନିଷ୍କାସନର ପର୍ଯ୍ୟାପ୍ତ ବ୍ୟବସ୍ଥା ଏବଂ ନିଆଁ ଲିଭାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା ମଧ୍ୟ ଦେଖାଯାଇନଥିଲା। ଏପରି ସ୍ଥିତିରେ ସମ୍ପୃକ୍ତ ଏଜେନ୍ସିଗୁଡ଼ିକଠାରୁ ଅନୁମୋଦନ କିପରି ମିଳିଲା, ତାହାର ତଦନ୍ତ ହେବା ଉଚିତ।
ମନ୍ତ୍ରୀ ପୂର୍ବତନ ନଗର ମନ୍ତ୍ରୀ ଏବଂ କୋଲକାତାର ପୂର୍ବତନ ମେୟର ଫିରହାଦ ହାକିମଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଗତ ପ୍ରାୟ ୧୫ ବର୍ଷ ମଧ୍ୟରେ ରାଜ୍ୟରେ ବହୁ ସଂଖ୍ୟାରେ ବେଆଇନ ଭାବେ ହୋଟେଲ ବ୍ୟବସାୟ ବିକଶିତ ହୋଇଛି ଏବଂ ପୂର୍ବ ସରକାରଙ୍କ କାର୍ଯ୍ୟକାଳରେ ଏପରି ୟୁନିଟଗୁଡ଼ିକର ଉପଯୁକ୍ତ ଯାଂଚ କିମ୍ବା ଅଡିଟ୍ କରାଯାଇନଥିଲା। ସେ କହିଛନ୍ତି ଯେ ବର୍ତମାନର ସରକାର କ୍ଷମତାକୁ ଆସି ଏବେ ପ୍ରାୟ ୧୦୦ ଦିନ ହୋଇଛି ଏବଂ ଏତେ କମ୍ ସମୟ ମଧ୍ୟରେ ସମଗ୍ର ରାଜ୍ୟରେ ଏପରି ସମସ୍ତ ୟୁନିଟକୁ ଚିହ୍ନଟ କରିବା ସମ୍ଭବ ନୁହେଁ।
ଅଗ୍ନିମିତ୍ରା ପଲ୍ କହିଛନ୍ତି, ‘‘ମୋ ସ୍ଥାନରେ ଯିଏ ପୂର୍ବରୁ ଥିଲେ, ସେମାନେ କ’ଣ କରିଥିଲେ? ଟ୍ରେଡ୍ ଲାଇସେନ୍ସ କିଏ ଦେଇଥିଲା? ସିଇଏସସି କିପରି ଅନୁମତି ଦେଲା? ଗୋଟିଏ ଏସିର ଅନୁମତି ନେଇ ୧୦ଟି ଏସି ଚଲାଯାଇଥିଲା।
ପୂର୍ବତନ ମେୟର ଫିରହାଦ ହାକିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ପ୍ରଶ୍ନରେ ସେ କହିଛନ୍ତି ଯେ ସମଗ୍ର ମାମଲାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ଏବଂ ଦାୟିତ୍ୱ ନିର୍ଦ୍ଧାରଣ ପାଇଁ ତଦନ୍ତ କରାଯିବ।
----------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ