
ନୂଆଦିଲ୍ଲୀ, ୧୯ ଅଗଷ୍ଟ (ହି.ସ.)- ମହାରାଷ୍ଟ୍ରର ନଭି ମୁମ୍ବାଇସ୍ଥିତ ଜବାହରଲାଲ ନେହରୁ ବନ୍ଦରରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ସାଉଦି ଆରବ ପଠାଯାଉଥିବା ପ୍ରାୟ ୫୬ କିଲୋ ମେଥାମ୍ଫେଟାମାଇନର ଚୋରାଚାଲାଣ ଉଦ୍ୟମକୁ ବିଫଳ କରିଛି। ଚୋରାଚାଲାଣକାରୀମାନେ ମାଦକ ପଦାର୍ଥକୁ ମକା ସହ ମିଶାଇ ୩୫୧ ବସ୍ତା ଥିବା କୃଷି ଉତ୍ପାଦର ଚାଲାଣରେ ଲୁଚାଇଥିଲେ। ଡିଆରଆଇ ମାଦକ ପଦାର୍ଥ ଜବତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଡିଆରଆଇ ଅନୁଯାୟୀ, ମାଦକ ପଦାର୍ଥକୁ ମକାରେ ଏପରି ଭାବେ ମିଶାଯାଇଥିଲା ଯେ ତାହା ସାଧାରଣ କୃଷି ଉତ୍ପାଦର ଚାଲାଣର ଅଂଶ ଭଳି ଦେଖାଯାଉଥିଲା। ନିୟମିତ ଯାଂଚରୁ ବଂଚିବା ପାଇଁ ଏହି ପଦ୍ଧତି ଆପଣାଯାଇଥିଲା। ମେଥାମ୍ଫେଟାମାଇନ ଅତ୍ୟନ୍ତ ପ୍ରଭାବଶାଳୀ କୃତ୍ରିମ ମନୋଉତେଜକ ପଦାର୍ଥ ଅଟେ। ଏହାର ସେବନ ଦ୍ୱାରା ହୃଦସ୍ପନ୍ଦନ ଓ ରକ୍ତଚାପ ବଢ଼ିବା, ଅସ୍ଥିରତା, ଭ୍ରମ, ମାନସିକ ବିକ୍ଷୋଭ ଭଳି ଗୁରୁତର ସମସ୍ୟା ହୋଇପାରେ।
ଡିଆରଆଇ ଅନୁଯାୟୀ, ଗତ ୧୬-୧୭ ଅଗଷ୍ଟରେ ଗୁଇନ୍ଦା ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ଯାଂଚ ସମୟରେ ଚାଲାଣର ଏକ ବସ୍ତାରେ ମକା ସହ ବାରିକ ଭାବେ ମିଶାଯାଇଥିବା ପାଉଡର ମିଳିଥିଲା। ଯାଂଚରେ ଏହାକୁ ମେଥାମ୍ଫେଟାମାଇନ ଭାବେ ଚିହ୍ନଟ କରାଯାଇଥିଲା।
ଯାଂଚରେ ରପ୍ତାନିକାରୀ ଏବଂ ପରିବହନକାରୀ-ସହ-ଫ୍ରେଟ ଫରୱାର୍ଡରଙ୍କ ପରିଚୟ ମିଳିଥିଲା। ଜଣାପଡ଼ିଥିଲା ଯେ ଫ୍ରେଟ ଫରୱାର୍ଡର ବିଦେଶୀ କ୍ରେତାଙ୍କ ସହ ଚାଲାଣର ପରିବହନ ଏବଂ ସୀମା ଶୁଳ୍କ ନିକାସିର ସମନ୍ୱୟ କରୁଥିଲେ। ଉଭୟଙ୍କ କଥିତ ଭୂମିକା ଆଧାରରେ ସେମାନଙ୍କୁ ଏନଡିପିଏସ ଆଇନ ଅଧୀନରେ ଗିରଫ କରାଯାଇଥିଲା।
----------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ