
ରାୟପୁର, ୨୦ ଅଗଷ୍ଟ (ହି.ସ.)- ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି)ର ଟିମ୍ ଗୁରୁବାର ରିଅଲ ଇଷ୍ଟେଟ ବ୍ୟବସାୟ ସହ ଜଡିତ ବ୍ୟବସାୟୀମାନଙ୍କ ଠିକଣାରେ ଚଢ଼ାଉ କରିଛି। ସୂଚନା ଅନୁଯାୟୀ ଇଡିର ଟିମ୍ ରିଅଲ ଇଷ୍ଟେଟ ବ୍ୟବସାୟୀ ସଜଲ ଜୈନ ଏବଂ ବିଶ୍ୱାସ ଗୁପ୍ତାଙ୍କ ବାସଭବନ ସହିତ ଦୋକାନଗୁଡ଼ିକରେ ଯାଂଚ ଆରମ୍ଭ କରିଛି।
କୁହାଯାଉଛି ଯେ ଇଡିର ଟିମ୍ ଦୁର୍ଗର ଜୈନ ଗଳିସ୍ଥିତ ବାସଭବନରେ ପହଂଚିଛି। ପ୍ରାୟ ତିନୋଟି ଗାଡ଼ିରେ ପହଂଚିଥିବା ଟିମରେ ୧୨ରୁ ଅଧିକ ଅଧିକାରୀ ସାମିଲ ଅଛନ୍ତି। କାର୍ଯ୍ୟାନୁଷ୍ଠାନ ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ସିଆରପିଏଫ ଯବାନମାନଙ୍କୁ ମଧ୍ୟ ମୁତୟନ କରାଯାଇଛି।
ସୂଚନା ଅନୁଯାୟୀ, କଂଗ୍ରେସ କୋଷାଧ୍ୟକ୍ଷ ରାମଗୋପାଳ ଅଗ୍ରୱାଲଙ୍କ ସହ ଜଡିତ ଦସ୍ତାବିଜ ଏବଂ ଯାଂଚ ସମୟରେ ମିଳିଥିବା ସୂଚନା ଆଧାରରେ ଇଡିର କାର୍ଯ୍ୟାନୁଷ୍ଠାନ ରିଅଲ ଇଷ୍ଟେଟ ବ୍ୟବସାୟୀମାନଙ୍କ ପର୍ଯ୍ୟନ୍ତ ପହଂଚିଛି। ଏହା ଆଧାରରେ ଟିମ୍ ସମ୍ପୃକ୍ତ ଠିକଣାଗୁଡ଼ିକରେ ଦସ୍ତାବିଜ ଏବଂ ଅନ୍ୟାନ୍ୟ ରେକର୍ଡର ଯାଂଚ କରୁଛି। ବର୍ତମାନ ଇଡିର କାର୍ଯ୍ୟାନୁଷ୍ଠାନ ଜାରି ରହିଛି।
ଉଲ୍ଲେଖନୀୟ ଯେ ଇଡି ଆଜି କଂଗ୍ରେସ କୋଷାଧ୍ୟକ୍ଷ ରାମଗୋପାଳ ଅଗ୍ରୱାଲ, ଜିଡି ଲଜିଷ୍ଟିକର ସଂଚାଳକ ଏବଂ ଡାକ୍ତର କମଲେଶ୍ୱର ଅଗ୍ରୱାଲଙ୍କ ଭାଇ ଅନୂପ ଅଗ୍ରୱାଲଙ୍କ ରବିନଗରସ୍ଥିତ ଘର ଏବଂ କାର୍ଯ୍ୟାଳୟ ସମେତ ଚାରିଟି ଠିକଣାରେ ଚଢ଼ାଉ କରିଛି। ସେହିପରି ରାମଗୋପାଳ ଅଗ୍ରୱାଲଙ୍କ ଭଣଜା ପ୍ରତୀକ ଅଗ୍ରୱାଲଙ୍କ ଧମତରୀ ବାସଭବନରେ ଚଢ଼ାଉ କରାଯାଇଛି।
-----------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ